ଦିଲ୍ଲୀ ସ୍ଥିତ ଏସସି-ଏସଟି ଆୟୋଗରେ ପହଞ୍ଚିଲେ ଏନସିବି ଅଫିସର ସମୀର ୱାଙ୍ଖଡେ । ଜାତି ପ୍ରମାଣ ପାଇଁ ଦାଖଲ କଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ।

134

କନକ ବ୍ୟୁରୋ: ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ସୋମବାର ଦିଲ୍ଲୀସ୍ଥିତ ଅନୁସୂଚିତ ଜାତି-ଜନଜାତି ଅଫିସରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ସେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଆୟୋଗଙ୍କ ପାଖରେ ଦାଖଲ କରିଥିବାବେଳେ, ଏହାର ଯାଞ୍ଚ ପରେ ଅସଲ କଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଅନ୍ୟପଟେ ଆୟୋଗର ଅଧ୍ୟକ୍ଷ ବିଜୟ ସାମ୍ପଲାଙ୍କ କହିବା କଥା, ସମୀର ୱାଙ୍ଖଡେଙ୍କ ଦସ୍ତାବିଜକୁ ଏବେ ଯାଞ୍ଚ କରାଯାଉଛି , ଖୁବଶୀଘ୍ର ଏହାର ରିପୋର୍ଟ ପ୍ରକାଶ ପାଇବ ।

ଅସଲ କଥା ହେଉଛି, ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିବି ନେତା ନବାବ ମଲ୍ଲିକ ସମୀର ୱାଙ୍ଖଡେଙ୍କ ବିରୋଧରେ ଲଗାତାର ବିଭିନ୍ନ ଆରୋପ ଲଗାଇବାରେ ଲାଗିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ସମୀରଙ୍କ ଅସଲ ଜାତି ହେଉଛି ମୁସଲିମ୍ । ହେଲେ ସେ ମିଛ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି । ତେବେ ଏହି ଅଭିଯୋଗକୁ ସମୀର ଖାରଜ କରିବା ସହିତ ଏହାର ପ୍ରମାଣ ଦେବାକୁ ଯାଇ ତାଙ୍କର ବିଭିନ୍ନ ପ୍ରମାଣପତ୍ରକୁ ଆଜି ଅନୁସୂଚିତ ଆୟୋଗଙ୍କ ପାଖରେ ଦାଖଲ କରିଛନ୍ତି ।

ତେବେ ଏହି ପ୍ରମାଣପତ୍ର ଭିତରେ ସମୀର ନିଜର ଜାତି ପ୍ରମାଣ ପତ୍ର, ପ୍ରଥମ ପତ୍ନୀଙ୍କ ପାଖରୁ ଜନ୍ମ ହୋଇଥିବା ପିଲାର ଜନ୍ମ ସାର୍ଟିଫିକେଟ୍ ଏବଂ ଛାଡପତ୍ର ପ୍ରମାଣପତ୍ର ରହିଛି । କମିଶନ ଏହି ସବୁ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ନିଜର ରିପୋର୍ଟ ଦେବେ । ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ବିଜୟ ସାମ୍ପଲାଙ୍କ କହିବା କଥା, ସମୀର ପୂର୍ବରୁ ମଧ୍ୟ ଏକ ଆବେଦନ କରିଥିଲେ, ଯେଉଁଥିରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ସେ ଅଭିଯୋଗ କରିଥିଲେ । ଏଥିସହ ଅକ୍ଟୋବର ୨୯ ତାରିଖରେ ମହାରାଷ୍ଟ୍ର ସରକାର ଏକ ନୋଟିସ୍ ଜାରି କରିଥିଲେ । ହେଲେ ଏପର୍ଯ୍ୟନ୍ତ କୌଣସି ଜବାବ୍ ମିଳିନାହିଁ । ତେବେ ଏହି ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ଅସଲ କଥା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତିି ।