ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନସିବିର ନୋଟିସ୍ । ନଭେମ୍ବର ମାସରେ ଭାଇ ଅର୍ଜୁନଙ୍କ ଘରେ ଏନସିବି କରିଥିଲା ଚଢାଉ

78

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ୍ ମାମଲାର ଚେର କେତେ ତଳକୁ ଯାଇଛି ତାହାର ଅନୁସନ୍ଧାନ ଜାରି ରଖିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା (ଏନସିବି) । ଏନେଇ ପୁଣି ଜଣେ ନୂଆ ଚେହେରା ସାମ୍ନାକୁ ଆସିଛି । ପ୍ରସିଦ୍ଧ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣି କୋମଲ ରାମପାଲଙ୍କୁ ନୋଟିସ ଜାରି କରିଛି ଏନସିବି । ପଚରା ଉଚରା ପାଇଁ ଏହି ନୋଟିସ ଜାରି କରାଯାଇଥିବା ସୂଚନା ମଳିଛି । ସୂଚନା ମୁତାବକ ଏହା ପୂର୍ବରୁ ବି କୋମଲଙ୍କୁ ନୋଟିସ କରିଥିଲା ଏନସିବି । ହେଲେ କୋମଲ ଏନସିବିରେ ହାଜର ହୋଇପାରବେ ନାହିଁ ବୋଲି ତାଙ୍କ ଓକିଲଙ୍କ ମାଧ୍ୟରେ ଜଣାଇଥିଲେ । ହେଲେ ଏବେ ପୁଣି ଥରେ କୋମଲଙ୍କ ନାମରେ ସମନ ଆସିବା ପରେ ରାମପାଲଙ୍କ ପରିବାର ପ୍ରତି ସମସ୍ୟା ବଢୁଥିବା କୁହାଯାଉଛି ।

କହିରଖୁ କି ଏହା ପୂର୍ବରୁ ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ନେଇ ଅର୍ଜୁନ ରାମପାଲଙ୍କୁ ପଚରା ଉଚରା କରିବାକୁ ଏନସିବି ୨ ଥର ସମନ ପଠାଇଥିଲା । କେବଳ ଅର୍ଜୁନ ନୁହନ୍ତି ଏହି ମାମଲାରେ ବି ଅର୍ଜୁନଙ୍କ ବାଳିକା ବନ୍ଧୁ ଗାବ୍ରିଏଲା ଡେମୋଟ୍ରିଏଡସଙ୍କୁ ଏନସିବି ପଚରା ଉଚରା କରିସାରିଛି । ଏହା ସହ ଗତ ନଭେମ୍ବର ମାସରେ ଅର୍ଜୁନଙ୍କ ବାସଭବନ ଉପରେ ଏନସିବି ଚଢାଉ କରିଥିଲା ।

ସୂଚନା ଥାଉକି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ଡ୍ରଗ୍ସ କାରବାରକୁ ନେଇ ଏନସିବି ଆକ୍ସନ ମୋଡକୁ ଆସିଥିଲା । ଏନେଇ ପ୍ରଥମେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତିଙ୍କୁ ଗିରଫ୍ କରିଥିଲା । ଏହା ପରେ ଜଣକ ପରେ ଜଣେ ଅଭିନେତା, ଅଭିନେତ୍ରୀ ମାନଙ୍କ ସହ ବଲିଉଡ ସହ ଜଡିତ ଅନେକ ଲୋକଙ୍କୁ ଏହି ମାମଲାରେ ଏନସିବି ପଚରା ଉଚରା ଜାରି ରଖିଛି ।