କନକ ବ୍ୟୁରୋ : ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ୍ରେ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ ହାଜତକୁ ଯାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ୍ଙ୍କୁ ବିଜ୍ଞାନ ପୁସ୍ତକ ଯୋଗାଇ ଦିଆଯାଇଛି । ପଢ଼ିବା ପାଇଁ ସେ ବିଜ୍ଞାନ ପୁସ୍ତକ ମାଗିଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । କାର୍ଯ୍ୟାଳୟ ପରିସର ମଧ୍ୟକୁ ଘର ରନ୍ଧା ଖାଦ୍ୟ ପାଇଁ ଅନୁମତି ନ ଥିବାରୁ ‘ଏନ୍ସିବି’ ମୁଖ୍ୟାଳୟ ନିକଟରେ ଥିବା ‘ନ୍ୟାସ୍ନାଲ୍ ହିନ୍ଦୁ ରେସ୍ତୋରାଁ’ରେ ତାଙ୍କୁ ଏବଂ ଅନ୍ୟାନ୍ୟ ଅଭିଯୁକ୍ତମାନଙ୍କୁ ଖାଇବାକୁ ଦିଆଯାଉଛି ।
ଇତିମଧ୍ୟରେ, ‘ଫୋରେନ୍ସିକ୍’ ଯାଞ୍ଚ ପାଇଁ ଆର୍ୟନ୍ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ମୋବାଇଲ୍ ଫୋନ୍ଗୁଡ଼ିକୁ ଗାନ୍ଧୀନଗରସ୍ଥିତ ଗୋଟାଏ ପରୀକ୍ଷାଗାରକୁ ପଠାଇଦିଆଯାଇଛି। ଆର୍ୟନ୍ଙ୍କ ଫୋନ୍ରେ ଥିବା ‘ହ୍ଵାଟ୍ସ୍ଆପ୍ ଚ୍ୟାଟ୍’ରେ ‘ଡ୍ରଗ୍’ ସଂକ୍ରାନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଥିବା କଥା ‘ଏନ୍ସିବି’ ଅଧିକାରୀମାନେ ଜାଣିପାରିଛନ୍ତି। ଅଧିକ ସୂଚନା ବାହାର କରିବା ନିମନ୍ତେ ଆର୍ୟନ୍ ଓ ଅନ୍ୟମାନଙ୍କ ଫୋନ୍ଗୁଡ଼ିକୁ ପରୀକ୍ଷାଗାରକୁ ପଠାଇ ଦିଆଯାଇଛି।
ମୁମ୍ବାଇ ଉପକୂଳରେ ‘କ୍ରୁଜ୍ ଜାହାଜ’ରୁ ନିଷିଦ୍ଧ ‘ଡ୍ରଗ୍’ ଜବତ କରାଯାଇଥିବା ଘଟଣାରେ ସମ୍ପୃକ୍ତ ଥିବା ଆଉ ୪ଜଣଙ୍କୁ ମଧ୍ୟ ‘ଏନ୍ସିବି’ ଗିରଫ କରିଛି । ଆର୍ୟନ୍ଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଡ୍ଭୋକେଟ୍ ସତୀଶ ମାନସିନ୍ଧେ । ଆର୍ୟନ୍ଙ୍କୁ ହାଜତରୁ ବାହାର କରିବା ନିମନ୍ତେ ସେ ଅଦାଲତରେ ଅନେକ ଯୁକ୍ତି ଉପସ୍ଥାପନ କରିଥିଲେ ବି ଅଦାଲତ ତାଙ୍କୁ ଆଉ ତିନି ଦିନ ପାଇଁ ହାଜତକୁ ପଠାଇ ଦେଇଛନ୍ତି ।