ଏନସିବି ଲାଂଚ କାରବାର ଅଭିଯୋଗ ମାମଲା: ଖଣ୍ଡାଧାରରେ ୱାଙ୍ଖଡେଙ୍କ ପଦବୀ

265

କନକ ବ୍ୟୁରୋ: ଆରୟନ ଖାନ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦ ଘନେଇଆସୁଛି । ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ତାଙ୍କୁ ଧମକ ଦେଇଥିବାବେଳେ ଏବେ ସାକ୍ଷୀର ବୟାନ ତାଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନେଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍ସ । ଆଗକୁ ସମୀର ନିଜ ପଦରେ ରହିବେ କି ନାହିଁ ଏନେଇ ଆଶଙ୍କା ସୃଷ୍ଟି ହୋଇଛି ।

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କ ବିରୋଧରେ ଯାଞ୍ଚ ଜାରି ରଖିଥିବା ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦର ବାଦଲ । ଯାଂଚ କରୁଥିବା ଏହି ଅଧିକାରୀ ଏବେ ନିଜେ ଯାଞ୍ଚର ଗଡା ଭିତରେ । ତାଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ବିଭାଗୀୟ ତଦନ୍ତ । ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ୱର ସିଂହଙ୍କ ସୂଚନା ମୁତାବକ, ସମୀରଙ୍କ ଉପରେ ଲାଗିଥିବା ଲାଂଚ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉଛି । ଲାଂଚ ଅଭିଯୋଗକୁ ନେଇ ୱାଙ୍ଖଡେ ନିଜ ପଦବୀରେ ରହିବେ କି ନାହିଁ ବୋଲି ପ୍ରଶ୍ନ କରିବାରୁ କିଛି କହିବାକୁ ମନା କରିଦେଇଥିଲେ ଜ୍ଞାନେଶ୍ୱର ସିଂହ ।

ସୂଚନା ମୁତାବକ, ମଙ୍ଗଳାବାର ସମୀର ୱାଙ୍ଖଡେ ଦିଲ୍ଲୀ ସ୍ଥିତ ଏନସିବି ହେଡକ୍ୱାର୍ଟର ଆସିବେ । ସେଠାରେ ସମୀକ୍ଷା ବୈଠକରେ ଯୋଗ ଦେବା ସହ ତାଙ୍କ ଉପରେ ହୋଇଥିବା ଅଭିଯୋଗ ଉପରେ ଏନସିବି ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ତାଙ୍କର ଆଲୋଚନା ମଧ୍ୟ ହେବ । କହିରଖୁଁ , ସମୀର ୱାଙ୍ଖଡେ ଓ କେପି ଗୋସାବିଙ୍କ ଉପରେ ଲାଂଚ କାରବାର ନେଇ ଯେଉଁ ଅଭିଯୋଗ ହୋଇ୍ଥିଲା ତା’ ଉପରେ ଭିଜିଲାନ୍ସ ସହ ଏନସିବିର ଆଭ୍ୟନ୍ତରୀଣ ଯାଞ୍ଚ ମଧ୍ୟ ଚାଲିଛି । ଅଭିଯୋଗକୁ ଭିତ୍ତି କରି ସମୀର ୱାଙ୍ଖଡେ ମଧ୍ୟ ନିଜର ଏକ ହଲପନାମା ସେସନ୍ସ କୋର୍ଟରେ ଦାଖଲ କରିବା ସହ ଏହାର ଏକ ନକଲ ଭିଜିଲାନ୍ସକୁ ଦିଆଯାଇଛି ।

ଅନ୍ୟପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୱାଙ୍ଖଡେ । ତାଙ୍କୁ ଫସେଇବାକୁ ଚେଷ୍ଟା କରାଯାଉଛି । ତାଙ୍କୁ, ତାଙ୍କ ପରିବାରକୁ ଏପରିକି ତାଙ୍କ ସ୍ୱର୍ଗବାସୀ ମା’ଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି । ଏପରିକି ତାଙ୍କ ପଦବୀକୁ ନେଇ ମଧ୍ୟ ଧମକ ଦିଆଯାଉଛି । ଏହାଦ୍ୱାରା ତାଙ୍କ ଇମଜେକୁ ବିଗାଡିବାକୁ ଚେଷ୍ଟା କରାଯିବା ସହ ଡ୍ରଗ୍ସ ମାମଲାର ଯାଞ୍ଚକୁ ପ୍ରଭାବିତ କରାଯାଉଛି ବୋଲି ଦୃଢତାର ସହ କହିଛନ୍ତି ସମୀର ।