‘ପରୀ’ ହତ୍ୟା ମାମଲାରେ ଏସଆଇଟିର ଜୋରଦାର ତଦନ୍ତ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଅଭିଯୁକ୍ତ ବାବୁଲି ନାୟକ ଘରେ ଛାନଭିନ

ବାବୁଲିର ଜଣେ ଡ୍ରାଇଭରକୁ ଉଠାଇ ନେଇ ପଚରାଉଚରା କରାଯାଇଥିବା ସୂଚନା

157

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଜୋରଦାର । ସୂଚନା ଅନୁସାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ଚାଲିଛି ଯାଂଚ । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଥିଲେ ଏସଆଇଟି ଟିମ୍ । ବାବୁଲି ନାୟକଙ୍କ ୩ ମହଲା ଘରର ସମସ୍ତ କୋଠରୀକୁ ଯାଂଚ କରିଥିଲେ ଟିମ୍ । ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଂଟା ଧରି ଜେରା କରିଥିଲେ ଏସଆଇଟି ।

ବାବୁଲି ଓ ତାଙ୍କ ଡ଼୍ରାଇଭରଙ୍କ ମାଲିକାନାରେ ଥିବା ଗାଡ଼ିଗୁଡ଼ିକର ସବିଶେଷ ତଥ୍ୟ ସଂଗ୍ରହ କରିଥିଲା ଟିମ୍ । ପରେ ତାଙ୍କ ଡ଼୍ରାଇଭର ବିଜୟ ବେହେରାଙ୍କୁ ମଧ୍ୟ ଇଟାମାଟି ଠାରେ ଥିବା ଘରୁ ଉଠାଇ ନେଇଥିଲା ପୋଲିସ । ଉଭୟଙ୍କୁ ସରକିଟ ହାଉସରେ ଜେରା କରାଯାଇଥିଲା । ନୟାଗଡ଼ ପୋଲିସ ଅଧିକାରୀଙ୍କ ଏକ ଦଳ ମଧ୍ୟ ୨ ଘଂଟା ଧରି ତାଙ୍କୁ ପଚରାଉଚରା କରିଥିଲେ ।

ସେପଟେ, ରାଜ୍ୟ ରାଜନୀତିରେ ଚର୍ଚାର ପ୍ରସଙ୍ଗ ସାଜିଛି ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା । ଆଜି କଂଗ୍ରେସର ଏକ ଟିମ୍ ନୟାଗଡ ଜିଲ୍ଲା ଯଦୁପୁର ଗସ୍ତ କରି ପରୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଭାରୀ ଏ ଚେଲ୍ଲାକୁମାର ଆଜି ଏହି ଗସ୍ତରେ ଯିବେ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ଟିମ୍ରେ ନୟାଗଡ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ପରୀ ପ୍ରସଙ୍ଗରେ ଦଳ ଭିତରେ ଥିବା ଫାଟ ପ୍ୟାଚ ପଡିଥିବା କୁହାଯାଉଛି । ସେପଟେ କିଛି ଦିନ ପୂର୍ବରୁ ବିଜେପି ବିଧାୟକ ଦଳ ପରୀଙ୍କ ଗାଁ ଯଦୁପୁରକୁ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପରୀ ଗାଁ ଯଦୁପୁରକୁ ଯିବ ବିଜେପିର ଏକ ଟିମ୍ । ଗାଁରୁ ଫେରିବା ପରେ ନୟାଗଡ଼ରେ ରିଲେ ଅନଶନ କରିବ ଦଳ ।