ରାଜ୍ୟର ପ୍ରଥମ ଇକୋ ଭିଲେଜର ମାନ୍ୟତା ପାଇଲା ନୟାଗଡର ମୁଦୁଲିଗାଡିଆ। ପରିଷ୍କାର ପରିଚ୍ଛନ୍ନ ଗାଁ ଦାଣ୍ଡ, ସବୁ ଘରେ ଲାଗିଛି ଗୋଟିଏ ରଙ୍ଗ

ଘର କାନ୍ଥରେ ଅଙ୍କାଯାଇଛି ଝୋଟି ଚିତା; ପ୍ରତି ଘରେ ପାଇଖାନା ଓ ଗ୍ୟାସ ଚୁଲି

1,135

କନକ ବ୍ୟୁରୋ: ଦିନ ଥିଲା ଏଇ ଜଂଗଲର ଫଳମୂଳ ଆଉ କନ୍ଦା ଖାଇ ବିତୁଥିଲା ଏମାନଙ୍କ ଜୀବନ । ଜାଣି ନ ଥିଲେ ବିକାଶ କଣ ଆଉ ଦେଖିନଥିଲେ ଉନ୍ନତି କଣ । ହେଲେ ଆଜି ଅନ୍ୟମାନଙ୍କ ପାଇଁ ସେମାନେ ପାଲଟିଛନ୍ତି ଉଦାହରଣ ।  ନୟାଗଡ ଜିଲ୍ଲା ମୁଦୁଲିଗାଡିଆ ଗାଁ । ଏହି ଗାଁ ଏପରି କାମ କରିଦେଖାଇଛି , ଯାହା ସେମାନଙ୍କୁ ସାରା ରାଜ୍ୟର ଦେଇଛି ଭିନ୍ନ ପରିଚୟ । ଏହି ଗାଁକୁ ମିଳିଛି ରାଜ୍ୟର ପ୍ରଥମ ଇକୋ ଭିଲେଜର ମାନ୍ୟତା । ଯାହାକୁ ନେଇ ବାଇଶିପଲ୍ଲୀ ଅଭୟାରଣ୍ୟର ଏହି ଆଦିବାସୀ ଅଧ୍ୟୁଷିତ ଗାଁ ଏବେ ପର୍ଯ୍ୟଟକଙ୍କ ପାଇଁ ଭ୍ରମଣ ସ୍ଥାନ ପାଲଟି ଯାଇଛି । ଗାଁରେ ପରିସ୍କାର ପରିଛନ୍ନ ଗାଁ ଦାଣ୍ଡ । ସଫା ସୁତୁରା ଘର ଚାରିପଟ ।

ସବୁଠାରୁ ଯେଉଁ କଥା ଆପଣଙ୍କ ଆଖିକୁ ପ୍ରଥମେ ଆସିବ ତା ହେଉଛି ଗାଁର ଘର ଗୁଡିକ ଗୋଟିଏ ରଂଗରେ ସଜେଇ ହୋଇଛି । ଘରର କାନ୍ଥ ଠାରୁ ଆରମ୍ଭ କରି ଛାତ ସବୁଠି ଲାଗିଛି ଗୋଟିଏ ରଂଗ । ଆଉ ଘର କାନ୍ଥରେ ପ୍ରଦର୍ଶିତ ହୋଇଛି ଆମ ସଂସ୍କୃତିର ପ୍ରତୀକ ଝୋଟି ଚିତା । ଦେଖିଲେ ମନ ଲାଖିଯିବ । ଗାଁରେ ପ୍ଲାଷ୍ଟିକକୁ ବାରଣ କରାଯାଇଛି । ବାହାରେ ମଇଳା ପକାଇବା ପୁରା ମନା । ଡଷ୍ଟବିନରେ ପକାଯାଉଛି । ଏପରି ଉଦ୍ୟମ ଫଳରେ ସାରା ଗାଁର ରାସ୍ତା ପୁରା ସଫାସୁତୁରା ରହିଛି । ଖୋଲାରେ ଶୌଚ ନ ହେବା ପାଇଁ ପ୍ରତି ଘରକୁ ଯୋଗାଇ ଦିଆଯାଇଛି ପାଇଖାନା । କାଠ ଚୁଲି ଛାଡିବା ପାଇଁ ପ୍ରତ୍ୟକ ଘରକୁ ଦିଆଯାଇଛି ଗ୍ୟାସ ଚୁଲି ।

ନୟାଗଡ ଜିଲ୍ଲା ମୁଦୁଲିଗାଡିଆ ଗାଁର ଏପରି ବ୍ୟବସ୍ଥା ଓ ପରିବେଶ ଗାଁକୁ ଆଣିଦେଇଛି ରାଜ୍ୟର ପ୍ରଥମ ଇକୋ ଭିଲେଜର ମାନ୍ୟତା । ଗ୍ରାମବାସୀଙ୍କୁ ଏଥିପାଇଁ ସହାୟତାର ହାତ ବଢାଇଛି ମହାନଦୀ ବନ୍ୟ ପ୍ରାଣି ବନଖଣ୍ଡ । ୨୦୧୫ ମସିହାରେ ମହାନଦୀ ବନ୍ୟପ୍ରାଣି ବନଖଣ୍ଡରେ ସ୍ଥାପିତ ହୋଇଥିଲା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ । ଏଥିରୁ ମିଳୁଥିବା ଆୟରୁ ୧୦ ପ୍ରତିଶତ ଲାଭାଂଶ ମୁଦୁଲିଗାଡିଆ ବିକାଶ ପାଇଁ ଖର୍ଚ ହେଉଛି । ଏହାର ଉପ ଯୋଗରେ ଏବେ ମୁଦିଲିଗାଡିଆ ପାଇଛି ରାଜ୍ୟର ପ୍ରଥମ ସବୁଜ ଗାଁ ବା ଇକୋ ଭିଲେଜର ମାନ୍ୟତା ।