ଜାଲରେ ପଡ଼ିଲା ଭୋଟର ବାଲାଟ ବକ୍ସ : ମାଛ ଧରିବା ବେଳେ ପୋଖରୀରୁ ମିଳିଲା ୨ ଟି ବାଲାଟ୍ ବକ୍ସ

791

କନକ ବ୍ୟୁରୋ : ମାଛ ଧରା ଜାଲରେ ପଡ଼ିଲା ଭୋଟର ବାଲାଟ ବକ୍ସ । ମାଛ ଧରିବା ବେଳେ ପୋଖରୀରୁ ମିଳିଛି ଦୁଇଟି ବାଲାଟ ବକ୍ସ । ନୟାଗଡ଼ ଜିଲ୍ଲା ଗୋତିସାହି ପଂଚାୟତରେ ପୋଖରୀ ଭିତରୁ ବାଲାଟ ବକ୍ସ ମିଳିବା ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଝୋଟ ଅଖାରେ ବାକ୍ସ ଦୁଇଟି ବନ୍ଧା ଯାଇଥିବା ବେଳେ ଏଥିରେ ଓଏସଇସି ଲେଖାଯାଇଛି ।

ଇଲେକ୍ସନ୍ କମିଶନଙ୍କ ଏହି ଦୁଇଟି ବାକ୍ସ ଏଠାକୁ କେମିତି ଆସିଲା, କେବେଠାରୁ ଏଠାରେ ପଡ଼ି ରହିଛି, କିଏ ପକାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶରଣକୂଳ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଗତ ୨୦୧୨ ପଂଚାୟତ ନିର୍ବାଚନରେ ନିକଟସ୍ଥ ଆଙ୍ଗିସିଙ୍ଗି ବୁଥରୁ କିଛି ଦୁର୍ବୃତ ବାଲାଟ ବକ୍ସ ଲୁଟି ନେଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ । ପରେ ସେଗୁଡ଼ିକୁ ଉଦ୍ଧାର କରାଯାଇଥିଲା ।

ସେହିଭଳି ୨୦୧୨ରେ ଗୋତିସାହି ପଂଚାୟତର ଭୋଟ ଗଣତି ବେଳେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଥିଲା । ତେବେ ମିଳିଥିବା ବକ୍ସ ଦୁଇଟି ସମ୍ପର୍କରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।