ପୁଣି ନୟାଗଡ଼ ଭାପୁର ବ୍ଲକ ରାଜନୀତି ସରଗରମ : ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ

ପୁଣି ନୟାଗଡ଼ ଭାପୁର ବ୍ଲକ ରାଜନୀତି ସରଗରମ : ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ

କନକ ବ୍ୟୁରୋ : ପୁଣିଥରେ ନୟାଗଡ ରାଜନୀତି ସରଗରମ । ଭାପୁର ବ୍ଲକର ୨ ନେତା ଓ ୨ ନେତ୍ରୀଙ୍କ ବିରୋଧରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ଏହି ଚାରି ଜଣ ହେଲେ ଗୋଟିଏ ପରିବାରର । ବେଣୁଧର ପ୍ରଧାନ କଇଁଫୁଲିଆ ସମିତିସଭ୍ୟ ତଥା ପଂଚାୟତ ସମିତି ଉପାଧ୍ୟକ୍ଷ ହୋଇଥିବା ବେଳେ ବେଣୁଧରଙ୍କ ପତ୍ନୀ ହେଉଛନ୍ତି ପଂଚାୟତ ସମିତି ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ ।

ସେହିପରି ତାଙ୍କ ଭାଇ କାହ୍ନୁଚରଣ ପ୍ରଧାନ ଶାସନ ପଂଚାୟତ ସମିତି ସଭ୍ୟ ହୋଇଥିବା ବେଳେ ବେଣୁଧରଙ୍କ ଭାଉଜ ଶାଳପଡ଼ା ସମିତିସଭ୍ୟ ଦମୟନ୍ତୀ ଖଟେଇ । ବେଣୁଧର ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଗୟାଧର ଅଭିଯୋଗ କରିଛନ୍ତି । ଭାପୁର ବ୍ଲକ ଉପାଧ୍ୟକ୍ଷ ସାବିତ୍ରୀଙ୍କ ବିରୋଧରେ ପରାଜିତ ପ୍ରାର୍ଥୀ ମିନତୀ ନାୟକ, କାହ୍ନୁଚରଣଙ୍କ ବିରୋଧରେ ପରାଜିତ ପ୍ରାର୍ଥୀ ଚୁମକି ଗୋଛି, ଶାଳପଡ଼ା ସମିତିସଭ୍ୟ ଦମୟନ୍ତୀ ଖଟେଇଙ୍କ ବିରୋଧରେ ପରାଜିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ସମସ୍ତେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି ।

ବେଣୁଧରଙ୍କ ନାମରେ ଭୁବନେଶ୍ୱର ମହିଳା ଥାନାରେ ଦୁଷ୍କର୍ମ ମାମଲା ସମେତ ଗୁରୁବାରୀ କଅଁର ହତ୍ୟାକାଣ୍ଡ ମାମଲା, ଗଞ୍ଜେଇ ଚୋରା କାରବାର ସମ୍ପର୍କିତ ମାମଲା ସମ୍ପର୍କିତ ତଥ୍ୟ ସେ ନିର୍ବାଚନୀ ସତ୍ୟପାଠରେ ପ୍ରଦାନ କରିନଥିବା, ଏଥି ସହିତ ତାଙ୍କ ନାମରେ ଭାପୁର ତହସିଲ ଅଧୀନ ମାଧପୁର, ବେତଖଲିରେ ଥିବା ବାଲିଘାଟ, ଚକ୍ରଧରପ୍ରସାଦରେ ଥିବା ଶିବଶକ୍ତି ପଥର କ୍ରସର ସମ୍ପର୍କିତ ତଥ୍ୟ ଲୁଚାଇଥିବା ଗୟାଧର ଅଭିଯୋଗ କରିଛନ୍ତି । ବେଣୁଧରଙ୍କ ନାମରେ ଥିବା ମାମଲା ସେ ଯଦି ସତ୍ୟପାଠରେ ଦର୍ଶାଇଥାନ୍ତେ, ତେବେ ଲୋକେ ତାଙ୍କୁ ଅଧିକ ଭୋଟ୍ ଦେଇନଥାନ୍ତେ ବୋଲି ଗୟାଧର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe