କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ନୂଆ ମୋଡ । ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ଗଲା ପରୀ ହତ୍ୟା ମାମଲା । ଏଣିକି ଏହି ମାମଲାରେ ଯାହା ଶୁଣାଣି ହେବ ତାହା ଚିଲଡ୍ରେନ କୋର୍ଟରେ ହେବ ।
ଏସଆଇଟି ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲା । ଅନୁଗୁଳ ବାଳ ସୁଧାର ଗୃହରୁ ଅଣାଯାଇ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟିର ବିଶେଷଜ୍ଞ ଟିମ ଅଭିଯୁକ୍ତ ନାବାଳକଟି ମାନସିକ, ଶାରୀରିକ ଭାବେ ଦୁଷ୍କର୍ମ, ହତ୍ୟା ଭଳି ଅପରାଧ କରିବାକୁ ସକ୍ଷମ ବୋଲି ପ୍ରମାଣ ଦାଖଲ କରିଥିଲା । ଏଥିରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସନ୍ତୁଷ୍ଟ ହେବା ସହିତ ମାମଲାକୁ ନୟାଗଡ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି ।
ସେହି ଅନୁଯାୟୀ ଅଭିଯୁକ୍ତକୁ ଜେଜେବିରୁ ନିଆଯାଇ ଚିଲଡ୍ରେନ କୋର୍ଟରେ ହାଜର କରାଯାଇଛି । ଏହାସହିତ ଏସଆଇଟିର ଏଲଭିଏ ଆବେଦନ ନେଇ ଅନୁମତି ପ୍ରକ୍ରିୟା ଘୁଂଚାଯାଇଛି । ଏନେଇ ଚିଲଡ୍ରେନ କୋର୍ଟରେ ଫେବୁଆରୀ ୫ ତାରିଖରେ ଶୁଣାଣି ହେବ । ସରକାରୀଙ୍କ ଓକିଲ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ କରାଯାଇପାରିବନି କିନ୍ତୁ ନାବାଳକ ହୋଇଥିଲେ ମଧ୍ୟ ଯଦି ଜଣେ ଜଘନ୍ୟ ଅପରାଧ କରିଥିବ, ତେବେ ଚିଲଡ୍ରେନ କୋର୍ଟରେ ମଧ୍ୟ କଠୋର ଦଣ୍ଡାଦେଶ ଦିଆଯାଇପାରିବ ।