୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ ବିଭାଗକୁ ପଠାଇଲା ପୋଲିସ ।

255

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ଆଜି ସେହି ନୟାଗଡ ଜିଲ୍ଲାର ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଛି । ରାଜସୁନାଖଳା ଥାନା ବଧିପାଟଣା ଗାଁ ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ନେଇ ଏଫଏମଟିକୁ ପଠାଇବ । ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ ।

୫ଦିନ ହେଲା ଝିଅକୁ ଖୋଜି ଆଣିବା ପାଇଁ ପୋଲିସ ଓ ପ୍ରଶାସନ ଆଗରେ ଗୁହାରି କରୁଥିଲେ ମା’ । ଗାଁ ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଗଲା ଝିଅ, ତାକୁ ନେଇ ବିଚଳିତ ହୋଇପଡିଥିବା ପରିବାର ଉପରେ ଆଜି ଯେମିତି ଭାଙ୍ଗି ପଡିଥିଲା ଦୁଃଖର ପାହାଡ । ଅନେକ ଖୋଜାଖୋଜି ପରେ ୩ ବର୍ଷର ଶିଶୁକନ୍ୟା ସ୍ୱାତୀ ତ ମିଳିଲା, ହେଲେ ମୃତ ଅବସ୍ଥାରେ । ଗାଁରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଛି ସ୍ୱାତୀର ମୃତଦେହ । ୫ ଦିନ ଧରି ମୃତଦେହଟି ଦଳଭର୍ତ୍ତି ପୋଖରୀରେ ପଡିରହିବା ପରେ ସଂପୂର୍ଣ୍ଣ ଫୁଲିଯାଇଛି । ଆଉ ଝିଅର ମୃତଦେହ ଦେଖିବା ପରେ କେଉଁ ମାଆର ମନ ଧୈର୍ଯ୍ୟ ଧରି ରହିଥାନ୍ତା ?

ରାଜସୁନାଖଳା ଥାନା ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ଶୁକ୍ରବାର ଦିନ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲା । ସ୍ୱାତୀକୁ ଖୋଜିବା ପାଇଁ ପୁଲିସ ନାକେଦମ ହୋଇଯାଇଥିଲା । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜିଥିଲା ଦମକଳ ବାହିନୀ । କାଳେ ପୋଖରୀ କିମ୍ବା କୂଅରେ ବୁଡି ଯାଇଥିବ ସ୍ୱାତୀ, ସେହି ସନ୍ଦେହରେ ଜୋରଦାର ଚାଲିଥିଲା ଖାନତଲାସ । ଖୋଦ ଏସପି ଏହାର ତଦାରଖ କରୁଥିଲେ । ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ଚାଲିଥିଲା । ହେଲେ ଯେମିତି ରହସ୍ୟଜନକ ଭାବେ ନିଖୋଜ ହୋଇଥିଲା ସ୍ୱାତୀ, ସେମିତି ଅଚାନକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା ତାର ମରଶରୀର । ତେଣୁ ସ୍ୱାତୀକୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ ।

ଯଦୁପୁରରେ ପରୀ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ଘେରରେ ଥିବା ନୟାଗଡ ପୋଲିସ କିନ୍ତୁ ସ୍ୱାତୀକୁ ଖୋଜିବା ପାଇଁ ସବୁ ଜୋର ଲଗାଇ ଦେଇଥିଲା । ହେଲେ ଗାଁ ଲୋକଙ୍କ କହିବା ହେଲା ସନ୍ଧାନୀ କୁକୁର ସହାୟତାରେ ଅନ୍ୟ ସବୁ ପୋଖରୀ ଓ କୂଅରେ ଖୋଜାଖୋଜି କରିଥିଲେ ମଧ୍ୟ ଦଳଭର୍ତ୍ତି ଏହି ପୋଖରୀକୁ ଭଲଭାବେ ଯାଂଚ କରିନଥିଲା । ଏବେ ମୃତଦେହ ମିଳିବା ପରେ ମୃତ୍ୟୁର ରହସ୍ୟ ଖୋଜିବାକୁ ଏହାର ପୋଷ୍ଟମର୍ଟମ କରିବା ସହ ଫୋରେନସିକ ଯାଂଚ ପାଇଁ ପଠାଇଛି ପୋଲିସ ।

ତେବେ ସଂଜୟ ସାହୁଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଏହି ପୋଖରୀକୁ କେମିତି ଆସିଲା ସ୍ୱାତୀ ? ଦୁର୍ଘଟଣା ବସତଃ ପୋଖରୀକୁ ଖସିପଡିଥିଲା କି ? ନା ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତାକୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି ? ଏସବୁ ପ୍ରଶ୍ନର ଉତର ଖୋଜିବାକୁ ତଦନ୍ତକୁ ଚାଲୁ ରଖିଛି ପୋଲିସ ।