କନକ ବ୍ୟୁରୋ : ନୟାଗଡ଼ରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେବ । ରଣପୁର ଥାନା ଅଂଚଳରେ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ୨୭ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀ, କରୋନା ପଜିଟିଭ୍ ଥିବା ନେଇ ରିପୋର୍ଟ ଆସିଥିଲା । ପରଦିନ ସେମାନେ ଔଷଧ ନେଇଥିଲେ । ତେବେ ଗତକାଲି ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଜଣାପଡିଥିଲା । ଅନୁମାନ କରାଯାଉଛି, ଚାପଗ୍ରସ୍ତ ହୋଇ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ-ସ୍ତ୍ରୀ ।

ମୃତ ଦମ୍ପତି ‌ହେଲେ, ଭିକାରି ସାହୁ ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ। ଏହି ଦମ୍ପତି ଭୁବନେଶ୍ବରରେ ରହୁଥିବା ବେଳେ, ପ୍ରାୟ ୩ ଦିନ ତଳେ ଗ୍ରାମକୁ ଆସିଥିଲେ । ତେବେ କୌଣସି କାରଣରୁ ଗୁୁରୁବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଦମ୍ପତିଙ୍କ ଘର କବାଟ ବନ୍ଦ ରହିଥିଲ। ‌ଯେଉଁଥିପାଇଁ ଗ୍ରାମବାସୀଙ୍କ ସନ୍ଦେହ ପ୍ରକାଶ ପାଇଥିଲା । ଗ୍ରାମବାସୀ କବାଟ ଭାଙ୍ଗି ଦେଖିବା ପରେ ଘର ମଧ୍ୟରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା । ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଛି, ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ଦମ୍ପତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଟାହିଟାପାରା ଶୁଣି ଆତ୍ମହତ୍ୟା କରିଦେଇଥିବା ଚର୍ଚ୍ଚା ‌ହେଉଛି । ଖବର ଲେଖା ହେବା ସୁଦ୍ଧା ମଧ୍ୟରାତ୍ରୀ ଯାଏଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିନଥିବା ଜଣାପଡ଼ିଛି । ଏନେଇ ଆମ ନିକଟରେ କୌଣସି ଅଭି‌ଯୋଗ ପହଞ୍ଚିନଥିବା ରଣପୁର ପୁଲିସ କହିଛି ।