କନକ ବ୍ୟୁରୋ : ଦିନେ ଭୂବନେଶ୍ୱରରୁ ବେଙ୍ଗଲ ଫେରିବା ବାଟରେ ମିଠା କାରିଗର ରଣଜିତ ସାନାଙ୍କୁ ମାଓବାଦୀ ସଜାଇ ଦେଇଥିଲା ପୋଲିସ । ୨୦୦୮ ନୟାଗଡ ମାଓ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗ କରି ଜେଲ ପଠାଇ ଦେଇଥିଲା କ୍ରାଇମବ୍ରାଞ୍ଚ । ସେତେବେଳ କନକ ନ୍ୟୁଜର ହସ୍ତକ୍ଷେପ ଫଳରେ ଆଇନ ଗଣ୍ଡିରୁ ମୁକୁଳିଥିଲେ ମାନସିକ ଭିନ୍ନକ୍ଷମ ରଣଜିତ । ଠିକ ସେମିତି ପଡୋଶୀ ବାଂଲାଦେଶରେ ଅଟକ ରହିଛନ୍ତି ନୟାଗଡର ଜଣେ ମାନସିକ ଭିନ୍ନକ୍ଷମ ଯୁବକ । ତାଙ୍କୁ ମୁକୁଳାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଓ ଗାଁ ଲୋକେ ।
ନିଖୋଜ ପୁଅକୁ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରୁଛନ୍ତି ମାଆ । ନୟାଗଡ ଜିଲ୍ଲା ସିପାହି ଅସୁରଢିପା ଗାଁର ସୁଦାମ ମାଝି ୨୦୧୯ରୁ କୁଆଡେ ଯାଇଛନ୍ତି ଯେ ଆଉ ଘରକୁ ଫେରୁନାହାଁନ୍ତି । ସୁଦାମଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ଲୁହ ଗଡାଉଛନ୍ତି ସ୍ତ୍ରୀ । ବାପାଙ୍କୁ ଝୁରି ହେଉଛନ୍ତି ପୁଅ-ଝିଅ । ପରିବାରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ନିଖୋଜ ଘଟଣା ପୁରା ପରିବାରକୁ ଆର୍ଥିକ ଅନାଟନରେ ବୁଡାଇ ଦେଇଛି ।
ସୁଦାମ ନିଖୋଜ ହେବାର ୩ ମାସ ପରେ ୨୦୧୯ ଅଗଷ୍ଟ ମାସରେ ନୟାଗଡ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ହେଲେ ଏହାରି ଭିତରେ ୨ ବର୍ଷ ବିତି ଯାଇଥିଲେ ବି ସୁଦାମଙ୍କ ସନ୍ଧାନ ପାଇ ପାରିନାହିଁ ପୁଲିସ । ପୋଲିସର ସୂଚନା ଅନୁସାରେ ଏନସିବି ବାଂଲାଦେଶ ସୁଦାମଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଭାରତୀୟ ଇଂଟରପୋଲକୁ ଯୋଗାଯୋଗ କରିଥିଲା । ଇଂଟରପୋଲ କଟକ ସ୍ଥିତ ସିଆଇଡି, କ୍ରାଇମବ୍ରାଂଚକୁ ତଥ୍ୟ ମାଗିଥିଲା । ୨୦୨୦ ଜୁଲାଇ ୭ ତାରିଖରେ ସିଆଇଡି ପକ୍ଷରୁ ନୟାଗଡ ଏସପିଙ୍କୁ ସୁଦାମ ସଂପର୍କୀତ ତଥ୍ୟ ମଗାଯାଇଥିଲା । ବର୍ଷେ ଯାଏଁ କୌଣସି ତଥ୍ୟ ଦେଇ ନଥିଲା ନୟାଗଡ ଡିଆଇବି । ସିଆଇଡି ଚିଠି କରିବାର ବର୍ଷେ ପରେ ୨୦୨୧ ଜୁଲାଇ ୨୦ ତାରିଖରେ ସୁଦାମ ନିଖୋଜ ଓ ସେ ଜଣେ ଭିନ୍ନକ୍ଷମ ବୋଲି ତଥ୍ୟ ଦେଇଥିଲା ନୟାଗଡ ଡିଆଇବି ।
ସେପଟେ ପୁଅକୁ ଝୁରି ହେଉଛି ମା, ସ୍ତ୍ରୀ, ପୁଅ-ଝିଅ । କେବେ ବାପା ଘରକୁ ଫେରିବେ ବୋଲେ ମାଆକୁ ସବୁବେଳେ ପଚାରୁଛନ୍ତି ପୁଅ-ଝିଅ ।