ନୟାଗଡ ବ୍ୟାଙ୍କ ଡକାୟତିର ଆସିଲା ଲାଇଭ୍ ଫୁଟେଜ୍ ! ବନ୍ଧୁକ ଧରି ପଶିଥିଲେ ୫ ଦୁର୍ବୃତ, ବ୍ୟାଙ୍କ ମ୍ୟାନେଜରଙ୍କୁ ଧକ୍କା ମାରି ଦିନ ଦିପହରରେ କରିଥିଲେ ଲୁଟ୍

33

କନକ ବ୍ୟୁରୋ : ମାତ୍ର ୧୫ ମିନିଟରେ ବ୍ୟାଙ୍କରେ କୋଟିଏ ଟଙ୍କାର କଳାକନା ବୁଲାଇଦେଲେ ଲୁଟେରା । ଗତକାଲି ନୟାଗଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ୫ ଜଣ ଲୁଟେରା ୨୫୬ ପ୍ୟାକେଟ୍ ସୁନା ନେଇ ଚମ୍ପଟ ମାରିଥିଲେ । ଆଜି ମିଳିଛି ବ୍ୟାଙ୍କର ସିସିଟିଭି ଭିଜୁଆଲ୍ । ଯେଉଁଥିରେ ଲୁଟେରାଙ୍କ ପୁରା ଅପରେସନ୍ କଏଦ ହୋଇଛି ।

ଶୁକ୍ରବାର, ଦିନ ୧ଟା ୧୩ ମିନିଟ୍ । ନୟାଗଡ ରଣପୁରର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଭିତରକୁ ହଠାତ ପଶିଲେ ୫ ଲୁଟେରା ।କାହା ମୁଣ୍ଡରେ ହେଲମେଟ୍ ତ ଆଉ କାହା ମୁଣ୍ଡରେ ଟୋପି । ରୁମାଲରେ ଢଙ୍କାଯାଇଛି ମୁହଁ । ଶନିବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ବେଳର ସିସିଟିଭିରେ କଏଦ ହୋଇଥିଲା ଏହାର ପୂରା ଦୃଶ୍ୟ । ପ୍ରଥମ ଲୁଟେରା ଗ୍ରାହକଙ୍କ ଭଳି ବ୍ୟାଙ୍କ କର୍ମଚାରୀଙ୍କ ପାଖକୁ ଯାଉଥିବା ବେଳେ ହେଲମେଟ୍ ପିନ୍ଧା ଦୁର୍ବୃତଙ୍କୁ ଦେଖି ମ୍ୟାନେଜର କବାଟ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ସଙ୍ଗେ ସଙ୍ଗେ ପକେଟରୁ ବନ୍ଧୁକ ବାହାର କରି ମ୍ୟାନେଜରଙ୍କ ମୁଣ୍ଡରେ ଲଗାଇଦେଇଥିଲେ ଲୁଟେରା । ଜୋର ଜବରଦସ୍ତ ଲକର ଚାବି ନେଇ ସେଥିରୁ ୨୫୬ ପ୍ୟାକେଟ୍ ସୁନା ଓ ପ୍ରାୟ ୮୦ ହଜାର ଟଙ୍କା ଧରି ଦୁଇଟି ବାଇକରେ ଚମ୍ପଟ ମାରିଥିଲେ । ମାତ୍ର ୧୫ ମିନିଟରେ ବ୍ୟାଙ୍କରେ କୋଟିଏ ଟଙ୍କାର କଳାକନା ବୁଲାଇଦେଇଥିଲେ ଲୁଟେରା । ତେବେ ଡକାୟତଙ୍କ ଲୁଟପାଟର ସବୁ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ ।

ଅନ୍ୟପଟେ ରବିବାର ସକାଳୁ ବ୍ୟାଙ୍କ ଆଗରେ ଲାଗିଥିଲା ଗ୍ରାହକଙ୍କ ଭିଡ । କିଏ କାନଫୁଲ ତ ଆଉ କିଏ ଚୁଡି, ସୁନା ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ନେଇଥିଲେ । ଆଉ କିଏ, ଟଙ୍କା ପାଇଁ ସମ୍ପର୍କୀୟଙ୍କଠାରୁ ସୁନା ମାଗି ଆଣିଥିଲେ । ବ୍ୟାଙ୍କ ଲୁଟ୍ ପରେ ସମସ୍ତଙ୍କ ମଧ୍ୟରେ ଏବେ ଆଶା ଆଉ ଆଶଙ୍କା, ମିଳିବ ତ ସେମାନଙ୍କ ସୁନା?ବ୍ୟାଙ୍କ ଲୁଟକୁ ଗୋଟିଏ ଦିନ ବିତିଯାଇଛି । ହେଲେ ଲୁଟେରାଙ୍କ ଟେର୍ ପାଇପାରିନି ପୋଲିସ । ଲୁଟେରାଙ୍କୁ ଧରିବାକୁ ଚାରିଆଡେ ଛାପା ମାରିବା ସହ ସନ୍ଦେହରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ବ୍ୟାଙ୍କ ଡକାୟତିରେ ରାଜ୍ୟର ଗୋଟିଏ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ସନ୍ଦେହ କରୁଛି ପୋଲିସ ।