କନକ ବ୍ୟୁରୋ : ବିଦ୍ୟାଳୟ ଅଛି, ଶିକ୍ଷକ ଅଛନ୍ତି ହେଲେ ସ୍କୁଲରେ ନାହିଁ ରୋଷେଇ ଘର । ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ନୟାଗଡ ନୂଆଗାଁ ବ୍ଳକ ବାଲିସାହି ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଅବ୍ୟବସ୍ଥାର ଚିତ୍ର । ଘଟଣା ସଂପର୍କରେ ଜାଣିବା ପରେ ସ୍କୁଲରେ ପହଂଚିଥିଲା କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହୋଇଥିଲା ମଧ୍ୟାହ୍ନ ଭୋଜନ ରୋଷେଇ ବେଳର ଟିକ୍ନିକ୍ ଦୃଶ୍ୟ । ସ୍କୁଲ ପଛପଟ ପାଇଖାନା ଘରେ ରୋଷେଇ କରୁଥିଲେ ପାଚିକା । ଘର ସାରା ଧୁଅାଁମୟ । ଆଖିରୁ ଲୁହ ପୋଛି ଚୁଲି ଫୁଙ୍କି ଫୁଙ୍କି ରୋଷେଇ କରୁଥିଲେ । ପରେ ଖାଦ୍ୟକୁ ବୋହି ବାରଣ୍ଡାରେ ପିଲାଙ୍କୁ ପରସୁଥିବା ବେଳେ ପାଚିକା ବଖାଣିଲେ ବେଦନାର କଥା ।

Advertisment

ସ୍କୁଲରେ ମୋଟ୍ ୧୭ ଜଣ ପିଲା ପାଠ ପଢୁଥିବା ବେଳେ ଅଛନ୍ତି ୨ ଜଣ ଶିକ୍ଷକ । ୨୦୧୧ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲରେ ରୋଷେଇ ଘର ଦୀର୍ଘ ଦିନ ହେବ ନିର୍ମାଣାଧିନ ଅବସ୍ଥାରେ ପଡିରହିଛି   । ତେଣୁ ପାଇଖାନା ପାଇଁ ଥିବା ଛୋଟିଆ ଘରେ ରୋଷେଇ କରାଯାଉଛି । ଅଶ୍ଚର୍ଯ୍ୟର କଥା ବର୍ଷେ ହେଲା ଏହି ସ୍କୁଲରେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ରୋଷେଇ ଘରର ସ୍ଥିତି ସଂପର୍କରେ କିଛି ଜାଣି ନଥିବା କହୁଛନ୍ତି । ଅନ୍ୟପଟେ ରୋଷେଇ ଘର ସଂପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିବା ସହକାରୀ ଶିକ୍ଷକ କହିଛନ୍ତି ।

ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସମସ୍ୟାର ସମାଧାନ କରାଇବେ ବୋଲି କହିଛନ୍ତି ନୟାଗଡ ଜିଲ୍ଲାପାଳ । ସ୍କୁଲରେ ପାଚେରି ନାହିଁ । ଫଳରେ ଅସୁରକ୍ଷିତ ରହୁଛି ସ୍କୁଲ କ୍ୟାମ୍ପସ । ଅନ୍ୟପଟେ ଗମନାଗମନ ସୁବିଧା ନଥିବାରୁ ପ୍ରଶାସନର ନଜର ପଡୁନଥିବା ଅଭିଯୋଗ ହେଉଛି ।