ନୟାଗଡ ବିଜେଡି ପଦଯାତ୍ରାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅରୁଣ ସାହୁ : କହିଲେ ପ୍ରତିଶ୍ରୁତି ପୂରଣରେ ବିଫଳ ଏନଡିଏ ସରକାର

29

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ଆରମ୍ଭ କରିଛି ପଦଯାତ୍ରା । ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଲୋକଙ୍କ ପାଖକୁ ଯାଉଛି ଦଳ । ଏହି କ୍ରମରେ ଆଜି ନୟାଗଡରେ ଏକ ବଡ ଧରଣର ପଦଯାତ୍ରା କରିଛି ବିଜେଡି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ପଦଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଛି । ବିଧାୟକ ଅରୁଣ ସାହୁ ଓ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏଥିରେ ସାମିଲ ହୋଇଥିଲେ ।

ପଦଯାତ୍ରାର ଶେଷ ଭାଗରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ଯୁବ ରାଜନେତା ଅରୁଣ ସାହୁ । ସେ କହିଛନ୍ତି, ଗତ ନିର୍ବାଚନରେ ବିଜେପି ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନଥିବା ବେଳେ ଓଲଟି ରାଜ୍ୟ ସରକାର ପ୍ରତି ଅଣଦେଖା କରୁଛନ୍ତି । ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ହେଉ କିମ୍ବା ବର୍ଷକୁ ୨ କୋଟି ଯୁବକଙ୍କୁ କର୍ମନିଯୁକ୍ତି ହେଉ ସବୁଥିରେ ବିଫଳ ହୋଇଛି ଏନଡିଏ ସରକାର । ବିଦେଶରୁ କଳାଧନ ଆଣି ପ୍ରତି ନାଗରିକଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା ହେଉ କିମ୍ବା ଧାନର ସହାୟକ ମୁଲ୍ୟ ବୃଦ୍ଧି ହେଉ ସବୁକିଛି କେବଳ ବିଜେପିର ପ୍ରତିଶ୍ରୁତିରେ ହିଁ ରହିଯାଇଛି ।

ସେପଟେ ୧୨୦ ଆସନ କବଜା କରିବା ପାଇଁ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ଦୃଢୋକ୍ତିର କଡା ଜବାବ ଦେଇଛନ୍ତି ଅରୁଣ ଶାହ । ପ୍ରଥମେ ଅମିତ ଶାହ କେନ୍ଦ୍ର ରାଜ୍ୟକୁ ଦେଉଛନ୍ତି ଓ କେତେ ନେଉଛନ୍ତି ତାର ହିସାବ ରଖନ୍ତୁ । ଅମିତ ଅସୁରର ଭାଷା କହୁଛନ୍ତି । ତେଣୁ ରାଜନୀତିର ଭାଷା ଶିଖିବାକୁ ବିଜେପି ନେତା ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଖରେ ମାସେ ଟ୍ୟୁସନ ହେବାକୁ ପରାମର୍ଶ ଦେଇଛନ୍ତି ଅରୁଣ ।