କନକ ବ୍ୟୁରୋ : ପାଠ ପଢ଼ିବାକୁ ଇଚ୍ଛା ହେଲେ ସେ ଇଚ୍ଛା ଆଗରେ କଣ୍ଟା ସାଜିଛି ତା’ ପରିବାର ମୁଣ୍ଡରେ ଲାଗିଥିବା ଗରିବୀର ଟ୍ୟାଗ୍ । ଯେଉଁଠି ଫଟା କପାଳ ସାଙ୍ଗକୁ ଫଟା କାନ୍ଥ କଥା କହୁଛି ସେଠି ପାଠ ପଢ଼ିବା ସ୍ୱପ୍ନ ସାକାର ହେବ ବା କେମିତି ? ପୂର୍ବତନ ନାଏବ ସରପଞ୍ଚଙ୍କ ଝିଅ ଯେବେ ପରିବାରର ଦାରିଦ୍ର୍ୟତାକୁ ଲୁହରେ ଲେଖି ଦିଅନ୍ତି ତାକୁ ପଢ଼ିବା ଲୋକଟିଏ ବି ଲୁହ ଝରାଇବ ନିଶ୍ଚିତ ।
ପୁରୀ ସତ୍ୟବାଦୀ ବ୍ଲକ ବୀର ରାମଚନ୍ଦ୍ରପୁର ପଞ୍ଚାୟତର, ପୂର୍ବତନ ନାଏବ ସରପଞ୍ଚ ନରସିଂହ ହୋତା । ଯିଏ ଦିନେ ଟଙ୍କାଟିଏ ନନେଇ ଗରିବ ଅସହାୟଙ୍କ ପାଇଁ ଆଗେଇ ଆସୁଥିବା ନରସିଂହ ଆଜି ନିଜେ ଅସହାୟ । ଦାରିଦ୍ର୍ୟର ଦଦରା କାନ୍ଥକୁ ଗୁହାଳ ପରି ଦିଶୁଥିବା ଘରଟିଏ ଅଛି, ହେଲେ ପରିବାର ପେଟକୁ ଦୁଇ ଗଣ୍ଡା ଦାନା ମିଳିବା କଷ୍ଟକର । କାରଣ ମାସିକ ୫୦୦ ଟଙ୍କା ଭତ୍ତା ଆଉ କେଇ କେଜି ରାସନ ଚାଉଳ ହିଁ ପରିବାରକୁ ବଞ୍ଚାଇ ରଖିଛି । ନରସିଂହଙ୍କ ଜୀବନ ଯେତିକି ଯନ୍ତ୍ରଣାଦାୟକ. ସେତିକି ଜରାଜୀର୍ଣ୍ଣ ଦିଶୁଛି ତାଙ୍କ ମୁଣ୍ଡ ଗୁଞ୍ଜିଥିବା ଘର । ଖାଲି ଦେବୀ ଦୁର୍ଗାଙ୍କୁ ବିଶ୍ୱାସ କରି ଏ ଦଦରା ଘରଟି ଛିଡ଼ା ହୋଇଛି ବୋଲି କୁହନ୍ତି ନରସିଂହ ।
ନରସିଂହଙ୍କ ଦୁଇ ଝିଅ, ବଡ଼ ଝିଅ ଦଶମ ପାସ୍ ପରେ କଲେଜ ଯିବାକୁ ଆଶା ରଖିଛି । ସାନ ଝିଅଟି ସପ୍ତମ ଶ୍ରେଣୀରେ ପଢୁଛି । ହେଲେ ଧାର କରଜ କରି ବାପାଟିଏ କେତେଦିନ ଅବା ପଢ଼େଇ ପାରିବ ? ୭୬ ବର୍ଷୀୟ ନରସିଂହଙ୍କ ରୋଜଗାର ନଥିବାରୁ ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହୁଛି ପରିବାର । ଝିଅମାନଙ୍କୁ ପାଠ ପଢ଼ାଇବେ ବା କେମିତି ? ସେମାନଙ୍କ ଶିକ୍ଷା ରାସ୍ତାରେ ସଙ୍କଟ ସାଇଛି ପାଠକୁ କିଣୁଥିବା ପଇସା ।
ସେଦିନର ଜନପ୍ରତିନିଧି ଆଜି ଜୀବନର ଦୋଛକିରେ । ଲୋକଙ୍କ ଦୁଃଖ ଶୁଣୁଥିବା ଲୋଟିଏର ଆଜି ଦୁଃଖ ହଜାରେ । କେଉଁଠି ଦାରିଦ୍ର୍ୟ ତାକୁ ଦୁର୍ବଳ କରିଦେଉଛି ତ କେଉଁଠି ଫଟା କାନ୍ଥ ଭଳି ଫଟା କପାଳ ତାକୁ ଉପହାସ କରୁଛି । ପର ଘରୁ ମାଗିଯାଚି ଭୋକକୁ ମେଣ୍ଟାଇ ଦେଉଛି ବୁଢ଼ା ବାପାଟିଏ କିନ୍ତୁ ଦୁଇ ଝିଅଙ୍କ ଭବିଷ୍ୟତକୁ କେମିତି ଗଢ଼ିବ ? ସ୍କୁଲ ହେଉ କି କଲେଜ, ପାଠ ପାଇଁ ଏଠି ପଇସା କଥା କୁହେ । ଯାହା ନରସିଂହଙ୍କ ପାଖରେ ନାହିଁ, ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ନରସିଂହଙ୍କ ପରିବାର । ତେବେ ଜଣେ ପୂର୍ବତନ ନାଏବ ସରପଞ୍ଚଙ୍କ ଦୁର୍ଦ୍ଦଶାକୁ ଦେଖାଇବା ପରେ ଆମେ ଆଶା କରୁଛୁ, ସରକାରଙ୍କ ସହାୟତାର ହାତ ନରସିଂହଙ୍କ କବାଟ ଠକ୍ ଠକ୍ କରିବ । ପରିବାରକୁ ଦୁଇ ଓଳି ଦାନା ସହ ପିଲାଙ୍କ ପାଠ ପଢ଼ା ସ୍ୱପ୍ନ ସାକାର ହେବ ।