ମହାରାଷ୍ଟ୍ରରେ ମାଓ ଦମନ ତ ବିହାରରେ ମାଓବାଦୀଙ୍କ ଜନତା ଦମନ, ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

77

କନକ ବ୍ୟୁରୋ : ମହାରାଷ୍ଟ୍ରରେ ପୋଲିସର ମାଓଦମନ ନୀତିର ପ୍ରତିଶୋଧ ବିହାରରେ ନକ୍ସଲମାନେ ନେଇଛନ୍ତି । ବିହାରର ଗୟା ଜିଲ୍ଲାର ଆସିଥିବା ଖବର ପରେ ମାଓବାଦ ଏକ ଆଦର୍ଶ ବୋଲି ଭାବୁଥିବା ଲୋକମାନେ ଏହାକୁ ଭୁଲ ବୋଲି ମାନିବାକୁ ବାଧ୍ୟ ହେବେ । ନକ୍ସଲମାନେ ଗୟା ଜିଲ୍ଲାର ଗୋଟିଏ ପରିବାରର ୪ ଜଣଙ୍କୁ ଫାଶିରେ ଝୁଲାଇ ହତ୍ୟା କରିଛନ୍ତି । କେବଳ ହତ୍ୟା କରିନାହାଁନ୍ତି ମାଓବାଦୀମାନେ ସଂପୃକ୍ତ ଘରକୁ ବୋମା ସହାୟତାରେ ଉଡାଇ ଦେଇଛନ୍ତି । ଏଭଳି ଅଭିଯାନ ସଫଳ ହେବା ପରେ ନକ୍ସଲମାନେ ସେଠାରେ ଏକ ଚିଠି ବି ଛାଡି ଯାଇଛନ୍ତି । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଗୟା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଡୁମାରିଆ ଥାନା କ୍ଷେତ୍ର ମୋନବାର ଗାଁରେ ରହୁଥିବା ସରଜୁ ସିଂଙ୍କ ଘରେ ଶନିବାର ମଧ୍ୟରାତ୍ରରେ ନକ୍ସଲମାନେ ପଶିଥିଲେ । ସରଜୁ ସମେତ ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅକୁ ଫାଶିରେ ଝୁଲାଇ ହତ୍ୟା କରିଥିଲେ ।

ଏହି ଘଟଣା ଘଟାଇବା ପରେ ନକ୍ସଲମାନେ ସେଠାରେ ଏକ ଚିଠି ଛାଡିଯାଇଛନ୍ତି । ଚିଠିରେ ଲେଖାଯାଇଛି କି କିଛିଦିନ ପୂର୍ବରୁ ୪ ଜଣ ନକ୍ସଲଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା ଓ ଏହାକୁ ଏନକାଉଣ୍ଟରର ରୂପ ଦିଆଯାଇଥିଲା । ଏହି ଷଡଯନ୍ତ୍ରରେ ସରଜୁର ପରିବାର ସଂପୃକ୍ତ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଛି ।

କହିରଖୁ କି ଗତବର୍ଷ ପୂର୍ବ ଗୟା ଜିଲ୍ଲାର ଡୁମାରିଆ ଥାନା କ୍ଷେତ୍ରରେ ୪ ଜଣ ନକ୍ସଲଙ୍କୁ ପୋଲିସର କୋବ୍ରା ବାହିନୀ ଏନକାଉଣ୍ଟର କରି ହତ୍ୟା କରିଥିଲା ।ଏହାକୁ ନେଇ ନକ୍ସଲ ସଂଗଠନ କହିଥିଲା କି ଯେଉଁ ଘରେ ନକ୍ସଲମାନେ ଲୁଚିଥିଲେ ସେଠାରେ ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିଲା ଓ ଏହାକୁ ଏନକାଉଣ୍ଟରର ରୂପ ଦିଆଯାଇଥିଲା ।