ଆଉ ପାପ ଦୁନିଆରେ ପାଦ ଦେବିନି…ବନ୍ଧୁକ ଛାଡି ବହି ଧରିବାକୁ ମନ । ମାଲକାନଗିରି ପୁଲିସ ନିକଟରେ ମାଓବାଦୀର ଆତ୍ମସମର୍ପଣ ।

551

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରି ଆଜି ଜଣେ ମାଓବାଦୀ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ନକ୍ସଲ ସଂଗଠନର ଆଗଧାଡିର ସଦସ୍ୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କୋଭିଡ ନିୟମକୁ ମାନି ଏସପି ରିଶିକେଷ ଖିଲାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛି । ବନ୍ଧୁକ ଛାଡ଼ି ବହି ଧରିବାକୁ ମନ କରିଥିବା ନକ୍ସଲ ଜଣକ ହେଲେ ମହାଦେବ ମାଡକାମୀ ଅରଫ ମୁନା । ସେ ଛତିଶଗଡର ଦନ୍ତେଓ୍ଵାଡା ଜିଲ୍ଲାର କାଙ୍କେରପାରା ଅଂଚଳର ବୋଲି ସ୍ୱୀକାର କରିଛି ।

ମହାଦେବ ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମହାଦେବଗତ ୨୦୧୫ ମସିହା ଜୁଲାଇ ମାସରେ ମାଓ ସଂଗଠନରେ ସାମିଲ ହୋଇଥିଲା । ତେବେ ସେ ସଂଗଠନରେ ଭର୍ତ୍ତି ହେବା ପୂର୍ବରୁ ସ୍କୁଲ ଛାଡି ୨୦୧୩ ମସିହାରେ ପ୍ରଥମେ ସିଏନଏମ ସଦସ୍ୟ ରୂପେ କାମ କରୁଥିଲା । ଏହି ସମୟରେ ସେ ନକ୍ସଲଙ୍କର ସମସ୍ତ ଜିନିଷ ବୋହିବା, କ୍ୟାଡର ନକ୍ସଲଙ୍କର ସମସ୍ତ କାର୍ଯ୍ୟ କରିବା ଭଳି କାମ କରୁଥିଲା । ପରେ ସେ ବିଭିନ୍ନ ତାଲିମ ନେବା ସହ ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ମଧ୍ୟ ନକ୍ସଲଙ୍କ ଦ୍ଵାରା ନେଲା । ୨୦୧୯ ପରେ ତାକୁ ଏସିଏମ ପଦରେ ନିଯୁକ୍ତି ଦିଆଯାଇଥିଲା । ଦରଭା ଡିଭିଜନରେ ସେ ସକ୍ରିୟ ସଦସ୍ୟ ଥିଲା । ମାଥିଲି ବ୍ଲକର ସୀମାନ୍ତ ଗ୍ରାମଗୁଡିକକୁ ଏମାନେ ସହଜରେ ଟାର୍ଗେଟ କରୁଥିଲେ ।

ସରକାରଙ୍କ ତରଫରୁ ମହାଦେବକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମର୍ନିଭରଶୀଳ ହେବା ପାଇଁ ସହଯୋଗ କରାଯିବ । ଘର ତିଆରି ପାଇଁ ଜମି ପ୍ରଦାନ ସହ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି ।