ଶାହାଙ୍କ ଗସ୍ତ ପରେ ମାଓବାଦୀଙ୍କ ବିବୃତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନକୁ ସିପିଆଇ ମାଓବାଦୀର ନିନ୍ଦା, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଥିଲେ ଶାହା ।

503

କନକ ବ୍ୟୁରୋ: ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜାପୁର ଗସ୍ତ ପରେ ଏକ ପ୍ରେସ ବିବୃତି ଜାରି କରିଛି ସିପିଆଇ ମାଓଇଷ୍ଟ ସଂଗଠନ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନିନ୍ଦା କରାଯାଇଛି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏପରିକି ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯିବ ବୋଲି ସଂକେତ ଦେଇଥିଲେ । ତେବେ ଏହାକୁ ନିନ୍ଦା କରିବା ସହ ଯବାନଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନର୍ଥବ୍ଲକକୁ ଦାୟୀ କରିଛି ସିପିଆଇ ମାଓବାଦୀ ସଂଗଠନ ।

ଏପରିକି ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇ ସେମାନଙ୍କ ଲଢେଇ ସରକାରଙ୍କ ବିରୋଧରେ, ସୁରକ୍ଷା କର୍ମୀଙ୍କ ବିରୋଧରେ ନୁହେଁ ବୋଲି କୁହାଯାଇଛି । ବ୍ୟବସ୍ଥା ବିରୋଧରେ ଲଢେଇରେ ଗତ ୪ ମାସରେ ଦେଶର ବିଭିନ୍ନ ଭାଗରେ ୨୮ ଜଣ ମାଓବାଦୀଙ୍କ ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ଏହି ପ୍ରେସ ବିବୃତିରେ କହିଛି ସିପିଆଇ ମାଓବାଦୀ ସଂଗଠନ ।