ଦାନ୍ତେୱାଡାରେ ମାଓବାଦୀଙ୍କ ପ୍ରଜାକୋର୍ଟ । ଇନ୍ଦିରା ଆବାସ, ରାସ୍ତାକାମକୁ ବିରୋଧ । ବୈଠକକୁ ଆସିନଥିବା ଲୋକଙ୍କୁ ଘରୁ ଉଠାଇ ଆଣି ନିସ୍ତୁକ ମାଡ

30

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଲାଲବାହିନୀର ବର୍ବରତା । ଛତିଶଗଡର ଦାନ୍ତେୱାଡାରୁ ଆସିଛି ପ୍ରଜାକୋର୍ଟର ଚିତ୍ର । ଦାନ୍ତେୱାଡା ଅଂଚଳର ଏକ ଜଙ୍ଗଲ ଭିତରେ ଏହି ପ୍ରଜାକୋର୍ଟ ବସିଥିଲା । ଯେଉଁଥିରେ ମାଓବାଦୀଙ୍କ ବୈଠକକୁ ନ ଆସୁଥିବା ଲୋକ ଓ ସରକାରୀ ସୁବିଧା ନେଉଥିବା ଲୋକଙ୍କୁ ଦଣ୍ଡ ଦିଆଯାଇଛି । ମାଓବାଦୀଙ୍କ ବୈଠକକୁ ଆସିନଥିବା ଲୋକଙ୍କୁ ଘରୁ ଉଠାଇ ଆଣି ନିସ୍ତୁକ ମାଡ ମରାଯାଇଥିବା ସୂଚନା ମିଳିଛି ।

ଜଙ୍ଗଲ ଭିତରେ ପ୍ରଜାକୋର୍ଟ ବସାଇ ମାଓବାଦୀ ୫ରୁ ୬ ଗ୍ରାମାବାସୀଙ୍କୁ ହାତଗୋଡ ବାନ୍ଧି ମାଡ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ନକ୍ସଲଙ୍କ ମାଡରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ନକ୍ସଲ ମାଡରେ ଆହତ ବ୍ୟକ୍ତି କହିଛନ୍ତି କି, ମାଓବାଦୀଙ୍କ ବୈଠକକୁ ନଗଲେ, ଇନ୍ଦିରା ଆବାସ ନିର୍ମାଣ କଲେ, ରାସ୍ତା ନିର୍ମାଣରେ ଶ୍ରମିକ ଭାବେ କାମ କଲେ ଏବଂ ପୁଲିସକୁ ସୂଚନା ଦେଲେ ପ୍ରଜାକୋର୍ଟରେ ଦଣ୍ଡ ମିଳେ । ଏହାଛଡା ଲୋକଙ୍କ ପାଇଁ ମାଓବାଦୀ ପ୍ରସ୍ତୁତ କରିଥିବା ନିୟମ ଭାଙ୍ଗିଲେ ମଧ୍ୟ ନିସ୍ତୁକ ମାଡ ମାରୁଥିବା ଅଭିଯୋଗ ହୋଇଛି ।

ପୁଲିସ ଓ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ବିକାଶମୂଳକ କାମ ଯୋଗୁଁ ଦାନ୍ତେୱାଡାର ମାଓପ୍ରଭାବିତ ଅଂଚଳରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ତେଣୁ ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ସରକାର ବିରୋଧୀ ଅଭିଯାନର ପ୍ରଚାର ସହ ସଂଗଠନକୁ ବଂଚାଇବା ପାଇଁ ମାଓବାଦୀ ଗାଁଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଚର୍ଚା ହେଉଛି ।