ମାଓବାଦୀଙ୍କ କବଳରେ ଯବାନ । ସାମ୍ବାଦିକଙ୍କ ମାଧ୍ୟମରେ ଦେଲେ ସୂଚନା, ପତ୍ନୀ କହିଲେ ଅଭିନନ୍ଦନଙ୍କ ଭଳି କରାଯାଉ ଉଦ୍ଧାର

313

କନକ ବ୍ୟୁରୋ : ମାଓବାଦୀଙ୍କ କବଜାରେ ଯବାନ । ଛତିଶଗଡ ବିଜାପୁର ଜୋନାଗୁଡା ଜଙ୍ଗଲରେ ହୋଇଥିବା ନକ୍ସଲ ହମଲା ନିଖୋଜ ଯବାନଙ୍କ ପତା ମିଳିଛି । ଏବେ ମାଓବାଦୀ କବଜାରେ ଅଛନ୍ତି ଯବାନ । ନକ୍ସଲଙ୍କ କବଜାରେ ଥିବା ଯବାନଙ୍କ ରାକେଶୋର ସିଂ ମନହସ । ସେ ସିଆରପିଏଫ ୨୧୦ କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ଘଟଣାସ୍ଥଳରୁ ୨୨ ଜଣ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ପତା ମିଳୁନଥିଲା । ତେବେ ଯବାନ ଜଣଙ୍କୁ ନିଜ କବଜାରେ ରଖିଥିବା ମାଓ ସଂଗଠନ ସ୍ପଷ୍ଟ କରିଛି । ସେପଟେ ନିଖୋଜ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ତାଙ୍କ ସ୍ତ୍ରୀ ଓ କୁନି ଝିଅ ।

ବାପାର ବାଟକୁ ଚାହିଁ ରଖିଥିବା କୁନି ଝିଅ ହୁଏତ ବୁଝିବାକୁ ସକ୍ଷମ ନୁହେଁ ଯେ, ଦେଶର ସୁରକ୍ଷା ପାଇଁ ଘରୁ ବାହାରିଯାଇଥିବା ତା’ର ବାପା ଏବେ କେଉଁଠି ଅଛନ୍ତି ଏବଂ କେମିତି ଅଛନ୍ତି । କିନ୍ତୁ ବାପାଙ୍କ ସହ କିଛି ଗୋଟିଏ ଅଘଟଣ ଘଟିଛି ଯାଇଛି, ଯେଉଁ କଥାକୁ ସେ ଠିକ୍ ବୁଝି ପାରିଛି ଯେତେବେଳେ ପୁରା ପରିବାରଙ୍କ ଆଖିରୁ ଲୁହ ଝରୁଛି । ଏଭଳି ସ୍ଥିତିରେ ବାପାଙ୍କୁ ଫେରି ଆସିବା ପାଇଁ କାନ୍ଦି କାନ୍ଦି କହୁଛି କୁନି ଝିଅ ।

ରକ୍ତର ହୋଲି ଖେଳିବା ପାଇଁ ଛତିଶଗଡ଼ ବିଜାପୁର ଜୋନାଗୁଡା ଜଙ୍ଗଲରେ ଲାଲ୍ମୁଖା ନକ୍ସଲ ବିଛାଇଥିବା ଜାଲରେ ଫଶି ଯାଇଛନ୍ତି ସିଆରପିଏଫ ଯବାନ ରାକେଶୋର ସିଂ ମନହସ । ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ସ୍ଥାନରୁ ୨୨ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ୍ ଯବାନଙ୍କ ପତା ମିଳିଛି । ମାଓବାଦୀମାନେ ଯବାନଙ୍କୁ କାବୁ କରି ନେଇଥିବା ନେଇ ନିଜ ଆଡୁ ସ୍ଥାନୀୟ ସାମ୍ବାଦିକ ରାଜା ରାଠୋରଙ୍କୁ ସୂଚନା ଦେଇଛନ୍ତି ।

ଆଉ ଏସବୁ ଭିତରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଉଛି ।ଆଖି ଆଗରେ ସହିଦ ଯବାନଙ୍କ ମୃତଦେହ ଦେଖି, ନିଜକୁ ସମ୍ଭାଳି ପାରୁନାହାଁନ୍ତି ପରିବାର ଓ ସମ୍ପର୍କୀୟ । ଏହି ଚିତ୍ର ଦେଖିଲେ ମନରେ ପ୍ରଶ୍ନ ଆସୁଛି- ଏଠି ଶତ୍ରୁ କିଏ ଏବଂ କାହା ସହ ହେଉଥିଲା ଯୁଦ୍ଧ । ଏପଟେ ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କୁ ସୁରକ୍ଷିତ ଆଣିବା ପାଇଁ ଦାବି କରିଛନ୍ତି ସମ୍ପର୍କୀୟ ।

ଛତିଶଗଡ଼ର ଜୋନାଗୁଡ଼ା ଜଙ୍ଗଲରେ ୪୦୦ରୁ ଅଧିକ ମାଓବାଦୀ ଏକାଠି ହୋଇଥିବା ଖବର ପାଇ ଯବାନ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ୧୫ଶହରୁ ଅଧିକ ଯବାନ ଚାରିପଟୁ ଘେରି ମାଓବାଦୀଙ୍କୁ କାବୁ କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଂଟ । ହେଲେ ଯବାନଙ୍କ ଅପରେସନ୍ ପୂର୍ବରୁ ପ୍ରସ୍ତୁତ ଥିଲେ ମାଓବାଦୀ । ପ୍ରାୟ ୪ରୁ ୫ ଘଂଟା ପର୍ଯ୍ୟନ୍ତ ଚାଲିଥିଲା ଉଭୟ ପଟୁ ଗୁଳିମାଡ । ଗୁଳି ମାଡ଼ରେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୦ ଯବାନ ଆହତ ହୋଇଥିଲେ ।