କନକ ବ୍ୟୁରୋ : ଛତିଶଗଡର ଦନ୍ତେୱାଡାର ଅରନପୁର ନିକଟରେ ମାଓ ହମଲା । କିନ୍ତୁ ଏଥର ମାଓବାଦୀଙ୍କ ଟାର୍ଗେଟରେ ରହିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଆଉ ଏହି ଆକ୍ରମଣରେ ଯେଉଁଥିରେ ଦୂରଦର୍ଶନର ଜଣେ କ୍ୟାମେରାମାନଙ୍କର ମୃତ୍ୟୁ ହେବା ସହ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ମୃତ କ୍ୟାମେରାମ୍ୟାନ ଜଣଙ୍କ ହେଉଛନ୍ତି ଓଡିଶା ଲୋଇସିଂହାର ଅଚ୍ୟୁତାନନ୍ଦ ସାହୁ ।
ସୂଚନା ଅନୁଯାୟୀ, ଛତିଶଗଡର ନିର୍ବାଚନ ଖବର ସଂଗ୍ରହ କରିବାକୁ ଅଚ୍ୟୁତ ଦନ୍ତେୱାଡା ଯାଇଥିବା ବେଳେ ତାଙ୍କର ସୁରକ୍ଷାରେ ମଧ୍ୟ ଦୁଇଜଣ ଯବାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଅରନପୁର ଥାନା ଅଞ୍ଚଳରେ ଥିବା ନୀଲାବାୟା ଜଙ୍ଗଲରେ ବାଟ ଦେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ହଠାତ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ସହ ପୋଲିସର ଗୁଳିବିନିମୟ ସମୟରେ ଓଡିଆ କ୍ୟାମେରାମ୍ୟାନଙ୍କ ଦେହରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ଦୁଇ ଯବାନ ସହିଦ ହୋଇଥିବା ବେଳେ କ୍ୟାମେରାମ୍ୟାନ ଆହତ ହୋଇଥିଲେ । ତେବେ ହସ୍ପିଟାଲକୁ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।