କନକ ବ୍ୟୁରୋ: ବିଜାପୁର ଜିଲ୍ଲା ତେରମ୍ ଥାନା ଅଂଚଳରେ ଥିବା ଜଙ୍ଗଲରେ ପ୍ରାୟ ୪୦୦ ମାଓବାଦୀ ଏକାଠି ହୋଇଥିବା ଖବର ପାଇ ଏସଟିଏଫ, ସିଆରପିଏଫ, କୋବ୍ରା ଓ ଡିଆରଜି ଯବାନମାନେ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ପ୍ରାୟ ୨ ହଜାର ଯବାନ ଚାରିପଟୁ ଘେରି ମାଓବାଦୀଙ୍କୁ କାବୁ କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଂଟ । ଉଦ୍ଦେଶ୍ୟ ଥିଲା, ଯେମିତି କୌଣସି ମାଓବାଦୀ ଘଟଣାସ୍ଥଳରୁ ଖସି ଯାଇପାରିବେ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯବାନଙ୍କ ଏକ ଟିମ୍ ଜଙ୍ଗଲ ଭିତରେ ଥିବା ଟେକେଲଗୁଡ଼ା ଗାଁରେ ପହଁଚିବା ପରେ ମାଓବାଦୀମାନେ ଆରମ୍ଭ କରି ଦେଇଥିଲେ ଅନ୍ଧାଧୁନ୍ ଫାୟାରିଂ । କେହି କିଛି ବୁଝିବା ପୂର୍ବରୁ ଗର୍ଜି ଉଠିଥିଲା ମାଓବାଦୀଙ୍କ ଏଲଏମଜି ଓ ରକେଟ ଲଂଚର । ଭୀଷଣ ଶବ୍ଦରେ ପୂରା ଜଙ୍ଗଲ ଥରି ଉଠିଥିଲା । ଯବାନମାନେ ପୋଜିସନ୍ ନେବା ବେଳକୁ ଜାଣିପାରିଲେ ସେମାନଙ୍କୁ ଇଂରାଜୀ ଅକ୍ଷର ୟୁ ଆକାରରେ ଆମ୍ବୁସ କରି ସାରିଛନ୍ତି ମାଓବାଦୀ । ଆସିବା ବାଟକୁ ଛାଡି ତିନି ପଟେ ଥିବା ପାହାଡ଼ ଓ ଘଂଚ ଜଙ୍ଗଲର ଆଢ଼ୁଆଳରେ ପ୍ରାୟ ୪୦୦ ମାଓବାଦୀ, ଘେରାବନ୍ଦୀ କରି ଗୁଳିମାଡ଼ କରିଥିଲେ । ପ୍ରାୟ ୪ରୁ ୫ ଘଂଟା ପର୍ଯ୍ୟନ୍ତ ଚାଲିଥିଲା ଉଭୟ ପଟୁ ଗୁଳିମାଡ । ଗୁଳି ମାଡ଼ରେ ୨୩ ଯବାନ ସହିଦ ହେବା ସହ ପ୍ରାୟ ୩୦ ଯବାନ ଆହତ ହୋଇଥିଲେ । ତେବେ କେତେ ମାଓବାଦୀର ମୃତାହତ ହୋଇଛନ୍ତି, ତାହା ଜଣାପଡିନାହିଁ ।
ଘଂଟା ଘଂଟା ଧରି ଗୁଳି ଓ ବୋମା ବର୍ଷଣ ଭିତରେ କିଛି ଆହତ ସାଥୀଙ୍କୁ ଉଦ୍ଧାର କରିଥିଲେ ଯବାନ । ୩ ତାରିଖ ଦିନ ମାତ୍ର ୨ ଜଣ ଯବାନଙ୍କ ମୃତଦେହକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ମାଓବାଦୀ ମାନେ ପ୍ରାୟ ୨୪ ଘଂଟା ଧରି ମୃତଦେହକୁ ଘେରି ରଖିଥିବା ବେଳେ ଯବାନ ଠାରୁ ଅତ୍ୟାଧୁନିକ ବନ୍ଧୁକ, ଗୁଳି ଗୋଳା ସହ ଯୋତା ଓ ପୋଷାକ ମଧ୍ୟ ଛଡାଇ ନେଇଥିଲେ । ଗଣମାଧ୍ୟମ ପ୍ରତିନିଧି ପହଁଚିବା ପରେ ଘଟଣା ଘଟିବାର ଦିନକ ପରେ ମୃତଦେହକୁ ନେବା ଲାଗି ପହଁଚିଥିଲେ ସାଥୀ ଯବାନ ।
ସେନାର ଏମଆଇ – ୧୭ ହେଲିକପ୍ଟର ମାଓଗଡରେ ଅବତରଣ କରି ମୃତଦେହକୁ ଉଦ୍ଧାର କରାଯାଇଛି । ଆହତ ଯବାନଙ୍କୁ ରାୟପୁର ଓ ବିଜାପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ସେପଟେ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଏହି ଘଟଣା ସାରା ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ମାଓବାଦୀ ଆକ୍ରମଣର ନେତୃତ୍ୱ ନେଇଥିଲେ ମାଡ଼ବି ହିଡମା । ୩୭ ବର୍ଷିୟ ହାର୍ଡକୋର ନକ୍ସଲ ହିଡମା, ମାଓବାଦୀଙ୍କ ଦଣ୍ଡକାରଣ୍ୟ ସ୍ପେଶାଲ୍ ଗରିଲା ମିଲିଟାରୀ ବାହିନୀର ମୁଖ୍ୟ ଏବଂ ଗରିଲା ଯୁଦ୍ଧରେ ବେଶ ପାରଙ୍ଗମ । ସେହି ହିଁ ସୁରକ୍ଷା ବାହିନୀକୁ ଫସାଇବା ପାଇଁ ରଚିଥିଲା ଚକ୍ରବ୍ୟୂହ । ମିଳିତ ବାହିନୀର ଅପରେସନ୍ ନେଇ ସୂଚନା ପାଇବା ମାତ୍ରେ ମୃତ୍ୟୁର ଫାସ ବସାଇଥିଲା ହିଡମା । ମାଓ ସଂଗଠନର ଏହି ନାରକୀୟ ଓ ବର୍ବରଚିତ କାର୍ଯ୍ୟ ପରେ ପୂରା ଇଲାକାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।