କନକ ବ୍ୟୁରୋ : ୨୦୧୭ ମସିହାରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ସବୁ ସହଯୋଗୀଙ୍କୁ ଖସାଇବାରେ ସମର୍ଥ ହୋଇଥିଲେ ବି ଦୁର୍ଦାନ୍ତ ମାଓନେତ୍ରୀ ବନିଲା ପୁଲିସ ଗୁଳିରୁ ବର୍ତିପାରିନଥିଲା। ଏହି ଘଟଣାରେ ସୂଚନା ପ୍ରଦାନକାରୀ ବୋଲି ସନ୍ଦେହ କରି ରଂଜନ ଦିଗାଲକୁ ମାଓବାଦୀଖୋଜୁଥିଲେ । ରଂଜନ ଘର ଛାଡି ପାଖାପାଖି ବର୍ଷେ ହେଲା କନ୍ଧମାଳର ନୂଆଗାଁ ଅଞ୍ଚଳରେ ରହୁଥିଲା। ହେଲେ ବର୍ତିପାରିଲା ନାହିଁ। ଜାନୁଆରି ୨ତାରିଖ ଦିନ ରଂଜନକୁ ମାଓବାଦୀ ଗୁଳି କରି ହତ୍ୟା କଲେ। ଦୁଇ ଦିନ ତଳେ ୧୦ରୁ ଅଧିକ ମାଓ କ୍ୟାଡର ରାତିରେ ବୌଦ୍ଧ ଚାରିଛକ ନିକଟରେ ରାସ୍ତା ଅତିକ୍ରମ କଲେ। ଦିନତମାମ ନିକଟସ୍ଥ ଅଞ୍ଚଳରେ ନିଜର ସଂଗଠନ ବିସ୍ତାର ପାଇଁ ଆଲୋଚନା କରିବା ପରେ ରାତିରେ ସେମାନେ ସେ ସ୍ଥାନ ଛାଡି ଆଗକୁ ଯାଇଥିଲେ। ଏହି ଦୁଇଟି ଖବର ନେଇ ଖୋଳତା଼ଡ ପରେ ଚାଞ୍ଚଲ୍ୟକର ସୂଚନା ମିଳୁଛି।
/kanak/media/post_attachments/wp-content/uploads/2019/05/maoist.jpg2_-300x180.jpg)
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଇ କିଛି ଦିନ ହେଲା କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (କେକେବିଏନ୍) ଡିଭିଜନ ଓ ବଂଶଧାରା-ଘୁମୁସର-ନାଗାବଳି (ବିଜିଏନ୍) ଡିଭିଜନ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡା, କୋଟଗଡ, ଗୋଚ୍ଛାପଡା, ଫିରିଙ୍ଗିଆ, ବେଲଘର, ନୂଆଗାଁ ଥାନା ଅଞ୍ଚଳରେ ଗତାଗତ ଆରମ୍ଭ କରିଦେଇଛନ୍ତି। ନୟାଗଡ, ଦଶପଲ୍ଲା ଯାଉଛନ୍ତି, ବୌଦ୍ଧ ବି। ଦୁର୍ଦାନ୍ତ ମାଓକ୍ୟାଡର ବଣ୍ଟି ଏବେ କେକେବିଏନ୍ ସଂଗଠନର ନେତୃତ୍ବ ନେଉଛି। ଗାଁ ଗାଁ ବୁଲି ପୁଲିସ ବିରୋଧରେ ଅପରେସନ୍ ପାଇଁ ଉସୁକାଉଛି। ଅନୁରୂପ ଢଙ୍ଗରେ ନିଖିଲ ମଧ୍ୟ ବିଜିଏନ୍ ଡିଭିଜନ ଦାୟିତ୍ବ ନେଇ ସଂଗଠନ ବଢାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ତେବେ କିଛି ଦିନର ନିରବତା ପରେ ହଠାତ୍ କାହିଁକି ମାଓ ଗତିବିଧି ବଢ଼ିଲା ସେ ନେଇ ଠୋସ୍ ତଥ୍ୟ ଏଯାଏ ସାମ୍ନାକୁ ଆସିନାହିଁ। ହେଲେ ଏକ ବଡ଼ ଅପରେସନ୍ ପାଇଁ ସେମାନେ ସଜବାଜ ଚଳାଇଥିବା ସୂଚନା ମିଳୁଛି।
କନ୍ଧମାଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିବା ଦୃଷ୍ଟିକୋଣରୁ ସେମାନେ ଏହାକୁ ଏକ ସୁଯୋଗ ବୋଲି ବିଚାର କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦୁଇଟି ଯାକ ସଂଗଠନ କିନ୍ତୁ ନିଜ ନିଜର ରଣନୀତି ବଦଳାଇ ଦେଇଛନ୍ତି। ଏବେ ପୂର୍ବଭଳି ସେମାନେ କ୍ୟାମ୍ପ କରୁନାହାନ୍ତି। ବରଂ ଗୋଟିଏ ଗୋଟିଏ ସ୍ଥାନରେ ତିନି ଚାରି ଘଣ୍ଟାରୁ ଅଧିକ ରହୁନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଗତ କିଛି ଦିନ ଧରି ମାଓବାଦୀଙ୍କ ପ୍ରଭାବ କମିଥିଲା। ଏବେ କିନ୍ତୁ ପୁଣି ଥରେ ସେମାନେ ମୁଣ୍ତ ଟେକିଲେଣି। ଓଡ଼ିଶାରେ ଏବେ ମହାରାଷ୍ଟ୍ର ମାଓ କ୍ୟାଡର ବି ଡେରା ପକାଇଛନ୍ତି। ଆଜି ଦିନରେ ମହାରାଷ୍ଟ୍ର କ୍ୟାଡର ସ˚ଖ୍ୟା ପାଖାପାଖି ୨୦ରେ ପହଞ୍ଚିଥିବା ସୂଚନା ମିଳିଛି।
ଏମାନଙ୍କ ନିକଟରେ କିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିବା ଜଣାଯାଇଛି। ଦକ୍ଷିଣ-ପଶ୍ଚିମ ରେଞ୍ଜ ଅଞ୍ଚଳରେ ଏମାନେ କାୟା ବିସ୍ତାର କରୁଛନ୍ତି ଓ ଛତିଶଗଡ଼ ମାଓବାଦୀଙ୍କ ସହିତ ମିଶି ଅପରେସନ୍ ପାଇଁ ସଜବାଜ ହେଉଛନ୍ତି। ମହାରାଷ୍ଟ୍ର କ୍ୟାଡରଙ୍କୁ ମିଶାଇ ଏବେ ରାଜ୍ୟରେ ୪୩୦ ମାଓବାଦୀ ସେମାନଙ୍କ ଅପରେସନ୍ ଜାରି ରଖିଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ମାଓବାଦୀ ଛତିଶଗ଼ଡ଼ର। ସ˚ଖ୍ୟା ୨୩୦ ପାଖାପାଖି ରହିଛି। ୬୦ଜଣ ମାଓବାଦୀ ଓଡ଼ିଶାର ବୋଲି ଜଣାପଡିଛି। ବାକି ହେଉଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନାର। ଏମାନଙ୍କ ମଧ୍ୟରୁ ପାଖାପାଖି ୧୨୦ଜଣ ଛତିଶଗ଼ଡି-ଓଡ଼ିଶା ମାଓବାଦୀ କେକେବିଏନ୍ ନାମରେ ଅପରେସନ୍ ଆରମ୍ଭ କରିଛନ୍ତି। ଟାର୍ଗେଟ ହେଉଛି କଳାହାଣ୍ତି-କନ୍ଧମାଳ-ବୌଦ୍ଧ-ନୟାଗଡ଼। ଅନୁଗୁଳ ବି ଏମାନଙ୍କ ଜାଲରେ ରହିଛି।