ଓଟିଟି ପ୍ଲାଟଫର୍ମ ଛାଡିବାକୁ ନିଷ୍ପତ୍ତି ନେଲେ ବଲିଉଡ୍ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକୀ । ପଢନ୍ତୁ, କଣ କହିଲେ ଏହି ଅଭିନେତା…

450

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକୀଙ୍କୁ ଆପଣ ଭଲ ଭାବେ ଜାଣିଥିବେ । ନଜର ଦମଦାର ଅଭିନୟ ବଳରେ ସେ ଏବେ ଲୋକଙ୍କ ପ୍ରିୟ ଅଭିନେତା ହୋଇପାରିନ୍ତି । ଓଟିଟି ପ୍ଲାଟଫର୍ମ ହେଉ ଅବା ବଲିଉଡ୍ ଫିଲ୍ମ – ସବୁଥିରେ ତାଙ୍କର ଅଭିନୟର ଜଲୱା ଦେଖିବାକୁ ପାଇଥାନ୍ତି ଦର୍ଶକ । ହେଲେ ଏବେ ନବାଜୁଦ୍ଦିନଙ୍କ ନେଇ ଆସିଛି ଏକ ବଡ ଖବର ।

ଓଟିଟି ପ୍ଲାଟଫର୍ମକୁ ବାଏ ବାଏ କହିଛନ୍ତି ଏହି ଲୋକପ୍ରିୟ ବଲିଉଡ୍ କଳାକାର । ଦିନେ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହୋଇଥିବା ୱେବସିରିଜ୍ ‘ସେକ୍ରେଡ୍ ଗେମ୍ସ’ ଯୋଗୁ ପ୍ରଂଶସା ସାଉଁଟିଥିବା ଏହି ଅଭିନେତା ଜଣକ , ଏବେ ସେହି ଓଟିଟି ପ୍ଲାଟଫର୍ମରୁ ବିଦାୟ ନେବା କଥା କହିଛନ୍ତି । ତେବେ ଏହା ପଛରେ ଏକ ବଡ କାରଣ ଥିବା ମଧ୍ୟ ସେ କହିଛନ୍ତି ।

ନବାଜଙ୍କ କହିବା କଥା, ଓଟିଟି ପ୍ଲାଟଫର୍ମ ଏବେ ବଡ ବଡ ପ୍ରଡକ୍ସନ ହାଉସ ପାଇଁ ଧନ୍ଦା ହୋଇଗଲାଣି । ଏହା ସାହାଯ୍ୟରେ ଅନେକ ଅନାବଶ୍ୟକ ସୋ ଏବେ ତିଆରି ହେଉଛି । ତେବେ ଗୋଟିଏ ଫିଲ୍ମ ବା ସିରିଜ୍ ପାଇଁ ଲେଖା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଯାହାକି ଏବେ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳୁନି ବୋଲି ନବାଜ୍ କହିଛନ୍ତି । ଅନ୍ୟପଟେ ସେ ଯେତେବେଳେ ପ୍ରଥମ କରି ଓଟିଟି ପ୍ଲାଟଫର୍ମରେ ପ୍ରବେଶ କଲେ ସେତେବେଳେ ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥିଲା । ସେତେବେଳେ ଗୋଟିଏ ଫିଲ୍ମ କିମ୍ବା ସିରିଜର ସ୍କ୍ରିପ୍ଟ ପ୍ରତି ଅଧିକ ଧ୍ୟାନ ଦିଆଯାଉଥିଲା । ହେଲେ ଏବେ କିନ୍ତୁ ସେପରି ହେଉନାହିଁ । ଯେଉଁ କାରଣରୁ ସେ ଓଟିଟି ପ୍ଲାଟଫର୍ମରୁ ବିଦାୟ ନେବେ ବୋଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ନବାଜୁଦ୍ଦିନ ସିିଦ୍ଦିକୀ ।

ସୂଚନାଯୋଗ୍ୟ ଯେ, କରୋନା କାଳରେ ଏବେ ଓଟିଟି ପ୍ଲାଟଫର୍ମରେ ଅନେକ ଟିଭି ସୋ, ଫିଲ୍ମ ରିଲିଜ୍ ହୋଇଛି । ଯାହା ସାହାଯ୍ୟରେ ଲୋକମାନେ ଘରେ ବସି ନିଜର ମନ ପସନ୍ଦର ସିରିଜ୍ କିମ୍ବା ଫିଲ୍ମ ଦେଖିପାରୁଛନ୍ତି । ହେଲେ ଏହାଦ୍ୱାରା ସିନେମା ହଲରେ ଲୋକଙ୍କ ସଂଖ୍ୟା କମିବାକୁ ଲାଗିଲାଣି , ଯାହାକି ଚିନ୍ତାର ବିଷୟ । ଏପରି ସମୟରେ ନବାଜଙ୍କ ଏହି ନିଷ୍ପତ୍ତିକୁ କିଛି ଲୋକ ସ୍ୱାଗତ ମଧ୍ୟ କରିଛନ୍ତି ।