ଲଣ୍ଡନରୁ ଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଝିଅ ମରିୟମକୁ ପାକିସ୍ତାନ ସରକାର ଧମକାଉଥିବା କଲେ ଅଭିଯୋଗ ।

180

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ, ମରିୟମ ନୱାଜଙ୍କୁ ଧମକାଉଛନ୍ତି ପାକିସ୍ତାନ ସରକାର । ଏହାକୁ ନେଇ ଲଂଣ୍ଡନରୁ ଟୁଇଟ୍ କରିଛନ୍ତି ନୱାଜ୍ ସରିଫ୍ । ସିଧାସଳଖ ପାକିସ୍ତାନ ସରକାର ବିରୋଧରେ ବିଷ ଓଗାଳିଛନ୍ତି । କହିଛନ୍ତି ତାଙ୍କ ଝିଅର କିଛି ହେଲେ, ଏଥିପାଇଁ ଦାୟୀ ରହିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ପାକ ସେନାଧକ୍ଷ୍ୟ ଜେନେରାଲ କମରଜାଭେଦ ବାଜୱା ।

ପ୍ରାୟ ଦେଢ ବର୍ଷର ନୀରବତା ପରେ ପାକିସ୍ତାନ ସରକାରକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ଏକା ଥରକେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପାକିସ୍ତାନ ସେନା ନାଁରେ ଆଣିଛନ୍ତି ବଡ ଅଭିଯୋଗ । ଲଣ୍ଡନରୁ ଟୁଇଟ୍ କରି ସରିଫ୍ କହିଛନ୍ତି , ବର୍ତମାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସରକାର ତାଙ୍କ ଝିଅ ମରିୟମ ନୱାଜଙ୍କୁ ଧମକ ଦେଉଛନ୍ତି । ପାକ୍ ସେନା ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ବି ଦିଆଯାଉଛି । ଯଦି ତାଙ୍କ ଝିଅ ମରିୟମର କିଛି ହୁଏ, ସେଥିପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପାକ୍ ସେନାଧକ୍ଷ୍ୟ କମର ଜାବେଦ ବାଜୱା, ଆଇଏସଆଇ ମୁଖ୍ୟ ଜେନେରାଲ ଫୈଜ ହମିଦ ଏବଂ ଜେନେରାଲ ଇରଫାନ୍ ମଲିକ୍ ଦାୟୀ ରହିବେ ।

ଭିଡିଓ ବାର୍ତାରେ ସରିଫ୍ ସିଧାସଳଖ ଅନେକ ଅଭିଯୋଗ ଲଗାଇଛନ୍ତି ଇମ୍ରାନ ଖାନ ସରକାର ଉପରେ । କହିଛନ୍ତି ନିକଟରେ ଇମ୍ରାନ୍ ଖାନ୍ ସରକାର , ଯେଉଁ ବହୁମତ ହାସଲ କରିଥିଲେ ସେଥିରେ ଚଂଚକତା କରାଯାଇଛି । ବିରୋଧୀ ଏହାକୁ ବହିଷ୍କାର କରିଥିଲେ । ୨୦୧୮ର ସିନେଟ୍ ନିର୍ବାଚନର ଏହା ଏକ ପୁନରାବୃତି ଥିଲା ବୋଲି କହିଛନ୍ତି ସରିଫ୍ । ଦୁର୍ନୀତି ଅଭିଯୋଗରେ ନୱାଜ ସରିଫଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟ ୭ ବର୍ଷର ସଜା ଶୁଣାଇଛନ୍ତି । କୋଟ୍ ଲଖପତ୍ ଜେଲରେ ଥିବା ବେଳେ ବିଦେଶରେ ଚିକିତ୍ସା ପାଇଁ ଅନୁମତି ଦେଇଥିଲେ ପାକ୍ ସରକାର । ୨୦୧୯ ଡିସେମ୍ୱରରୁ ସେ ଲଣ୍ଡନରେ ରହି ଆସୁଛନ୍ତି । ଦୀର୍ଘ ଦିନ ଧରି ଚୁପ୍ ରହିଥିବା ନୱାଜ ସରିଫ୍, ଏହି ଭିଡିଓ ଜରିଆରେ ମୁହଁ ଖୋଲିଛନ୍ତି।

ଗତ ସୋମବାର ମରିୟମ ନୱାଜ ଆଣିଥିଲେ ବଡ ଅଭିଯୋଗ । ଗତ ସିନେଟ ନିର୍ବାଚନରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ୍ଖାନ୍ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ , ତାଙ୍କ ଦଳର ସଦସ୍ୟଙ୍କ ଉପରେ ଚାପ ପକା ଯାଇଥିଲା । ଯେଉଁମାନେ ଏହାକୁ ବିରୋଧ କରିଥିଲେ , ସେମାନଙ୍କୁ ସିକ୍ରେଟ୍ ଏଜେନ୍ସି ଫୋର୍ସ ପ୍ରାୟ ୪ ଘଂଟା ଧରି ସଂସଦରେ ବନ୍ଦ ରଖିଥିଲେ । ନିକଟରେ ସିନେଟ୍ ନିର୍ବାଚନରେ ଇମ୍ରାନ୍ ଖାନଙ୍କ ପାର୍ଟିର ପ୍ରାର୍ଥୀ ଇସଲାମାବାଦର ଜେନେରାଲ ସିଟରେ ପରାସ୍ତ ହେବା ପରେ ଇମ୍ରାନ ଖାନଙ୍କୁ ସଂସଦରେ ଦେବାକୁ ପଡିଥିଲା ଶକ୍ତି ପରୀକ୍ଷା ।