ଆମେ ନିଜ ଗୋଡରେ କୁରାଢି ମାରିଛୁ । ଆମ ଅବସ୍ଥା ପାଇଁ ଆମେ ନିଜେ ହିଁ ଦାୟୀ : ନୱାଜ ସରିଫ

940

ନୱାଜ ସରିଫ ଯେବେଠୁ ଲଣ୍ଡନରୁ ଫେରିଛନ୍ତି ସେବେଠୁ ସେ ପାକିସ୍ତାନ ବିରୁଦ୍ଧରେ ଲଗାତାର ବୟାନବାଜି କରିଆସୁଛନ୍ତି । ସେ ଲଗାତାର ପାକିସ୍ତାନକୁ ଗାଳି ଦେଉଛନ୍ତି । ସେପଟେ ପାକିସ୍ତାନର ଖରାପ ଅବସ୍ଥା ସମ୍ପର୍କରେ ସେ ଆଉ ଏକ କଥା ମଧ୍ୟ କହିଛନ୍ତି । ନୱାଜ କହିଛନ୍ତି ଯେ ଆଜି ଆମ ଦେଶର ଅବସ୍ଥା ପାଇଁ ଆଉ କେହି ନୁହେଁ ଆମେ ନିଜେ ହିଁ ଦାୟୀ । ଏଥିପାଇଁ ଆଉ କାହାକୁ ଦୋଷ ଦେଲେ ହେବନାହିଁ । ଆମେ ନିଜ ଗୋଡରେ କୁରାଢି ମାରିଛୁ । ନୱାଜ କହିଛନ୍ତି ଯେ ପାକିସ୍ତାନ ଆଜି ଯେଉଁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି ସେଥିପାଇଁ ଭାରତ କିମ୍ବା ଆମେରିକା ଦାୟୀ ନୁହଁନ୍ତି । ଆମେ ନିଜେ ଏଥିପାଇଁ ଦାୟୀ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୨୧ ଅକ୍ଟୋବରରେ ଲଣ୍ଡନରୁ ନିଜ ଦେଶକୁ ଫେରିଥିଲେ । ସେ ପାକିସ୍ତାନୀ ମାଟିରେ ପାଦ ଦେବା ଦିନଠାରୁ ପାକିସ୍ତାନ ବିରୁଦ୍ଧରେ ବୟାନ ଦେଇ ଆସୁଛନ୍ତି ।  ସେ ଅଙ୍ଗଭଙ୍ଗୀ ମାଧ୍ୟମରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରୁଛନ୍ତି । ଦେଶର ଖରାପ ଅବସ୍ଥା ପାଇଁ ସେନାକୁ ଦାୟୀ କରିବାକୁ ଚେଷ୍ଟା କରୁଛନ୍ତି ।

ସେ କହିଛନ୍ତି ଯେ ସେନା ୨୦୧୮ ନିର୍ବାଚନରେ ଧୋକାଧଡି କରି ଏହି ଦେଶ ଉପରେ ସେନା ନିଜ ପସନ୍ଦର ସରକାର ମନୋନୀତ କରି ଲାଗୁ କରିଛି । ଏହି କାରଣରୁ ସାଧାରଣ ଜନତା ଅସୁବିଧାରେ ପଡ଼ିଲେ ଏବଂ ଅର୍ଥନୀତିର ଅବସ୍ଥା ବିଗିଡିଗଲା ।

ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି ନୱାଜ ସରିଫ

ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏବଂ ନୱାଜ ସରିଫ ଚତୁର୍ଥ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । PML-N ଟିକେଟ୍ ପ୍ରତିଯୋଗୀଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ସେ କହିଥିଲେ ଯେ ତାଙ୍କୁ ତିନିଥର (୧୯୯୩.୧୯୯୯ ଓ ୨୦୧୭ ) ଶାସନ ଗଦୀରୁ ଜୋର ଜବରଦସ୍ତ ବହିଷ୍କାର କରାଯାଇଛି । ୧୯୯୯ ବର୍ଷ ବିଷୟରେ ଉଲ୍ଲେଖ କରି ନୱାଜ କହିଛନ୍ତି ଯେ ମୁଁ ସକାଳେ ପ୍ରଧାନମନ୍ତ୍ରୀ ଥିଲି ଏବଂ ସନ୍ଧ୍ୟାରେ ମୋତେ ଅପହରଣକାରୀ ଘୋଷିତ କରାଯାଇଥିଲା । ନୱାଜ ଆହୁରି କହିଛନ୍ତି ଯେ ୨୦୧୭ ରେ ମଧ୍ୟ ସମାନ ଘଟଣା ଘଟିଥିଲା । ମୋ ପୁଅଠାରୁ ଦରମା ନ ନେବା କାରଣରୁ ମୋତେ କ୍ଷମତାରୁ ବାହାର କରିଦିଆଗଲା । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ) ସୁପ୍ରିମୋ ଇମ୍ରାନ ଖାନଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ସେନା ତାଙ୍କ ମନୋନୀତ ବ୍ୟକ୍ତିଙ୍କୁ କ୍ଷମତାକୁ ଆଣିବାକୁ ଚାହୁଁଛନ୍ତି, ତେଣୁ ସେ ଏପରି ନିଷ୍ପତ୍ତି ନେଇଥିଲେ ।

୪ ଟଙ୍କାର ରୁଟି ଏବେ ୨୦ ଟଙ୍କା

କିଛି ଦିନ ପୂର୍ବରୁ ପାକିସ୍ତାନର ଖରାପ ଆର୍ଥିକ ଅବସ୍ଥାକୁ ନେଇ ନୱାଜ ଚିନ୍ତା ପ୍ରକଟ କରିଥିଲେ । ସେ କହିଥିଲେ ଯେ ତାଙ୍କ ସହ ଯାହା ଘଟିଛି ତାହା ଘଟିଛି, କିନ୍ତୁ ପ୍ରକୃତ ଦଣ୍ଡ ପାକିସ୍ତାନବାସୀଙ୍କୁ ଦିଆଯାଇଛି । ଆଜି ପାକିସ୍ତାନରେ ଚାରି ଟଙ୍କାର ଏକ ରୁଟିର ମୂଲ୍ୟ ୨୦ ଟଙ୍କା ହେଲାଣି ।  ୫୦ ଟଙ୍କା ଚିନିର ମୂଲ୍ୟ ଆଜି ୧୫୦ ଛୁଇଁଲାଣି ।  ସେହି ସମୟର ବିଦ୍ୟୁତ୍ ଆଜି ଏତେ ମହଙ୍ଗା ହୋଇଛି ଯେ ଲୋକମାନେ ଏହାର ବିଲ୍ ପୈଠ କରିବାକୁ ମଧ୍ୟ ସକ୍ଷମ ନୁହଁନ୍ତି । ଆମ ଦେଶର ପିଲାଙ୍କ ପାଇଁ ଏହାଠାରୁ ବଡ଼ ଦଣ୍ଡ କ’ଣ ହୋଇପାରେ ?