କନକ ବ୍ୟୁରୋ: ବଦଳିଯାଇଛି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଚିତ୍ର । ରାତାରାତି ବଦଳିଛନ୍ତି ତଦନ୍ତକାରୀ ଅଧିକାରୀ, ଚାଲିଛି ଆରୋପ ପ୍ରତ୍ୟାରୋପ । ଏହା ଭିତରେ ଏନସିବି ଟିମ ଦ୍ୱାରା ଗଠିତ ଦୁଇଟି ଏସଆଇଟି ଟିମ ଏବେ ତଦନ୍ତ ଦାୟିତ୍ୱ ନେଇଛି । ସେପଟେ ଦିଲ୍ଲୀ ୟୁନିଟ ଡିଡିଜି ଜ୍ଞାନେଶ୍ୱର ସିଂ ଆଜି ମୁମ୍ବାଇରେ ପହଁଚିଛନ୍ତି । ମୁମ୍ବାଇ ଏନସିବି ଟିମଠୁ ମାମଲାର ସମସ୍ତ ସାକ୍ଷୀଙ୍କ ତାଲିକା ମାଗିଛନ୍ତି ଜ୍ଞାନେଶ୍ୱର ସିଂ ।
ସେପଟେ ବଟି ଆଦାୟ ଅଭିଯୋଗ ଘେରରେ ଥିବା ମୁମ୍ବାଇ ଜୋନାଲ ଡିରେକ୍ଟର ସମୀର ୱାଖଂଡେଙ୍କ ବିରୋଧରେ ମଧ୍ୟ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି । କ୍ରୁଜ ଡ୍ରଗ୍ସ ମାମଲାକୁ ନେଇ ମୁମ୍ବାଇଠୁ ନେଇ ଦିଲ୍ଲୀରେ ହଲଚଲ । ଏହା ଭିତରେ ଏନସିବି ଅଧିକାରୀ ସମୀର ୱାଖଂଡେଙ୍କ ବିରୋଧରେ ଲଗାତାର ଗୋଟେ ପରେ ଗୋଟେ ଅଭିଯୋଗ ଆଣୁଛନ୍ତି ଏନସିପି ନେତା ନୱାବ ମଲ୍ଲିକ । ସମୀରଙ୍କ ଶାଳି ହର୍ଷଦା ଦୀନାନାଥ ରେଡକର ବି ଡ୍ରଗ୍ସ କାରବାର କରନ୍ତି ବୋଲି ନବାବ ଅଭିଯୋଗ କହିଛନ୍ତି । ଏଥିସହ ସେ କହିଛନ୍ତି ପୁଣେର ଏକ କୋର୍ଟରେ ହର୍ଷଦାଙ୍କ ନାଁରେ ଡ୍ରଗ୍ସ କାରବାରକୁ ନେଇ ଚାଲିଛି ମାମଲା ।