କଙ୍ଗନାଙ୍କୁ ନେଇ ବଢୁଛି ବିବାଦ, ଗିରଫ କରିବା ସହ ପୁରସ୍କାର ଫେରାଇ ନେବାକୁ ନୱାବ ମଲ୍ଲିକଙ୍କ ଦାବି

230

କନକ ବ୍ୟୁରୋ : ଦେଶକୁ ମିଳିଥିବା ସ୍ୱାଧୀନତା ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ ପରେ ଏବେ ସାରା ଦେଶରୁ ବିରୋଧର ସ୍ୱର ଉଠିଛି । କଙ୍ଗନାଙ୍କୁ ମିଳିଥିବା ପଦ୍ମ ପୁରସ୍କାର ଫେରାଇ ନେବା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଏନସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ ଦାବି କରିଛନ୍ତି ।

ସୋସିଆଲ ମିଡିଆରେ କଙ୍ଗନାଙ୍କର ଏକ ୨୪ ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ କଙ୍ଗନା କହୁଛନ୍ତି କି ଦେଶକୁ ୧୯୪୭ ନୁହେଁ ବାସ୍ତବ ସ୍ୱାଧୀନତା ୨୦୧୪ ପରେ ମିଳିଲା । ୧୯୪୭ ରେ ଯେଉଁ ସ୍ୱାଧୀନତା ଇଂଗ୍ରେଜମାନେ ଭାରତକୁ ଦେଇଥିଲେ ତାହା ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଭିକ୍ଷାରେ ପାଇଥିଲେ ।

ଏନେଇ ନୱାବ ମଲ୍ଲିକ କହିଛନ୍ତି କି କଙ୍ଗନାଙ୍କ ଏଭଳି ବୟାନ ଜାତିର ପିତା ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରତିଟି ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛି । କଙ୍ଗନାଙ୍କ ବୟାନକୁ ନୱାବ ଦଢ ନିନ୍ଦା କରିବା ସହ କଙ୍ଗନାଙ୍କୁ ମିଳିଥିବା ପଦ୍ମଶ୍ରୀ ଫୁରସ୍କାର ଫେରାଇନେବା ଓ ତାଙ୍କୁ ତୁରନ୍ତ ଗିରଫ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ।

ମଲ୍ଲିକଙ୍କ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଥିଲେ କି, କଙ୍ଗନାଙ୍କ ବୟାନ ପୁରା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଅପମାନିତ କରିଛି । ଏଭଳି ବୟାନ ଶୁଣିବା ପରେ ପ୍ରଧାନମନ୍ତ୍ରୀ ନିରବତା ଭଙ୍ଗ କରନ୍ତୁ ଓ ସ୍ପଷ୍ଟ କରନ୍ତୁ କି ସେ କଙ୍ଗନାଙ୍କ ବୟାନକୁ ସମର୍ଥନ କରୁଛନ୍ତି ନା ବିରୋଧ । ଯଦି ବିରୋଧ କରୁଛନ୍ତି ତେବେ ତୁରନ୍ତ କଙ୍ଗନାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।