ବଢି ବଢି ଚାଲିଛି ନୱାବ ମଲ୍ଲିକଙ୍କ ସମସ୍ୟା । ମହାରାଷ୍ଟ୍ର ମନ୍ତ୍ରୀଙ୍କ ପୁଅଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍ ।

208

କନକ ବ୍ୟୁରୋ : ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ଗିରଫ ହେବା ମାମଲାରେ ଖୋଳତାଡ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଣ୍ଡରୱାଲର୍ଡ ସହ ସମ୍ପର୍କ, ମନି ଲଣ୍ଡ୍ରିଂ ଓ ବେଆଇନ ସମ୍ପତି ମାମଲାରେ ଏନସିପି ନେତା ନୱାବ ମଲ୍ଲିକଙ୍କୁ ଇଡି ଗିରଫ କରିଛି । ବର୍ତମାନ ଘଟଣାର ନୂଆ ନୂଆ ଫର୍ଦ୍ଦ ସାମ୍ନାକୁ ଆସୁଛି । ମୁମ୍ବାଇ କୁର୍ଲା ଅଞ୍ଚଳରେ ଥିବା ୨୦୦ କୋଟି ଟଙ୍କାର ଏକ ଜମି ଠାବ କରିଛି ଇଡି, ଯାହା ନୱାବଙ୍କ ପରିବାର ସହିତ ଜଡିତ ଥିବା ଜଣାପଡିଛି । ଏହି ଜମି ଏକ ରିଏଲ ଇଷ୍ଟେଟ୍ କମ୍ପାନୀ ନାମରେ ରହିଛି ।

ଯେଉଁଥିରେ ନୱାବଙ୍କ ପୁଅ ଫରାଜ ୨୫ ପ୍ରତିଶତ ଜମିର ମାଲିକ ଥିବା ଇଡିର ଯାଞ୍ଚ ସମୟରେ ସାମ୍ନାକୁ ଆସିଛି । ଯାହାକୁ ନେଇ ଫରାଜ ମଲ୍ଲିକଙ୍କୁ ସୋମବାର ପ୍ରବର୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହେବାକୁ ନୋଟିସ ଦେଇଥିଲା ଇଡି । କିନ୍ତୁ ଫରାଜ ମଲ୍ଲିକ ଈଡି କାର୍ଯ୍ୟାଳୟରେ ହାଜର ହୋଇନଥିବା ଜଣାପଡିଛି । ଅନ୍ୟପଟେ ଅଣ୍ଡରୱାଲର୍ଡ ସହ ସମ୍ପର୍କ ଓ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ନୱାବ ମଲ୍ଲିକ ରିମାଣ୍ଡ ଆସନ୍ତା ମାର୍ଚ୍ଚ ୩ ତାରିଖରେ ଶେଷ ହେଉଛି । ଅନ୍ୟପଟେ ଘଟଣାକୁ ନେଇ ମହାରାଷ୍ଟ୍ର ରାଜନୀତି ଜୋର ଧରିଛି ।