ଫଡର୍ନାଭିସଙ୍କ ଖୁଲାସା ପରେ ଜବାବ ରଖିଲେ ନୱାବ, ଆସନ୍ତାକାଲି ଖୋଲିବେ ଅଣ୍ଡରୱାର୍ଲ୍ଡ ସହ ଫଡର୍ନାଭିସଙ୍କ ସଂପର୍କ

116

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ଅଣ୍ଡରୱାର୍ଲ୍ଡ ସହ ନୱାବ ମଲ୍ଲିକଙ୍କ ସଂପର୍କ ବାବଦରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ନାଭସି ଖୁଲାସା କରିବା ପରେ ଏହାର ଜବାବ ରଖିଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ । ସେ କହିଛନ୍ତି କି ଫଡର୍ନାଭିସ ଗଣମାଧ୍ୟମ ଆଗରେ ଏକ ମିଥ୍ୟାର ପାହାଡ ନିର୍ମାଣ କରିଛନ୍ତି । ସେ ଆହୁରି କହିଛନ୍ତି କି ଫଡର୍ନାଭିସ କହିଥିଲେ ଦୀପାବଳି ପରେ ସେ ବୋମା ଫୁଟାଇବେ ହେଲେ ସେ ତାହା କରିପାରିଲେ ନାହିଁ, କିନ୍ତୁ ଆସନ୍ତାକାଲି ମୁଁ ଅଣ୍ଡରୱାର୍ଲ୍ଡର ହାଇଡ୍ରୋଜେନ ବୋମା ଫୁଟାଇବି । ଏହାସହ ଦେବେନ୍ଦ୍ର ଫଡର୍ନାଭିସ ମୁଖ୍ୟମନ୍ତ୍ରୀ ଥିବା ବେଳେ ପୁରା ମୁମ୍ବାଇ ସହରକୁ ନିଜ ଦଖଲରେ ରଖିଥିଲେ ଏହାସହ ଅଣ୍ଡରୱାଲ୍ଡର ମୁଖିଆ ବିଦେଶରେ ରହି ବିଜେପି ସରକାରକୁ ପରିଚାଳନା କରୁଥିବା କଥା ବି ନୱାବ କହିଛନ୍ତି ।

ଅନ୍ୟପଟେ ଫଡର୍ନାଭିସ ଅଭିଯୋଗ କରିଥିଲେ କି ମୁମ୍ବାଇ ବିସ୍ଫୋରଣରେ ସାମିଲଥିବା ଆତଙ୍କବାଦୀଙ୍କ ଠାରୁ ନୱାବ ମଲ୍ଲିକ ଜମି କିଣିଛନ୍ତି । ଏହାର ଉତ୍ତରରେ ମଲ୍ଲିକ କହିଛନ୍ତି କି ଯେଉଁ ଜମି ବାବଦରେ ଫଡର୍ନାଭିସ ଅଭିଯୋଗ ଆଣିଛନ୍ତି , ସେହି ଜମିରେ ପ୍ରଥମେ ନୱାବଙ୍କ ପରିବାର ଭଡାସୂତ୍ରରେ ରହୁଥିଲେ ଓ ପରେ ତାର ମାଲିକାନା ହକ୍ ମିଳିଥିଲା ।

ନୱାବ ମଲ୍ଲିକ ଆହୁରି କହିଛନ୍ତି କି, “ଫଡର୍ନାଭିସ ମନେ ରଖିବା ଦରକାର ୧୯୯୬ ରେ ବିଜେପି ଓ ଶିବସେନାର ସରକାର ଥିବା ବେଳେ ମୁଁ ଉପନିର୍ବାଚନ ଜିତିଥିଲି ଓ ଆଜି ଯେଉଁ ଜମି ନେଇ ଫଡର୍ନାଭିସ ଅଭିଯୋଗ କରୁଛନ୍ତି ସେହି ଜମିରେ ମୋର ଅଫିସ ଥିଲା, ସେଠାରେ ବିଜୟ ପରେ କର୍ମୀମାନେ ଖୁସି ମନାଇଥିଲେ ”

କହିରଖୁ କି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହେବା ପରେ ଏନସିବି ଜୋର୍ନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଳିକ । ସେବେଠାରୁ ବିଜେପି ଓ ନୱାବ ମଲ୍ଲିକଙ୍କ ଭିତରେ ଶୀତଳ ଯୁଦ୍ଧ ଲାଗି ରହିଛି ।