ମୁମ୍ବାଇ ଡ୍ରଗ୍ସ କେସ୍: ନବାବ ମଲ୍ଲିକଙ୍କ ଉପରେ ୧୦୦ କୋଟିର ମାନହାନି ମକଦ୍ଦମା ରୁଜୁ କଲେ ବିଜେପି ନେତା ।

151

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଜାମିନ୍ ମିଳିସାରିଛି । ହେଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନବାବ ମଲ୍ଲିକଙ୍କ ଏହାକୁ ନେଇ ଲଗାତାର ବୟାନ ଏହି କେସକୁ ଏବେ ବି ଚର୍ଚ୍ଚାରେ ରଖିଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାରି ଭିତରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ପୂର୍ବ ଅଧ୍ୟକ୍ଷ ମୋହିତ କମ୍ବୋଜ, ନବାବ ମଲ୍ଲିକଙ୍କ ଉପରେ ୧୦୦ କୋଟି ଟଙ୍କାର ଏକ ମାନହାନି ମକଦ୍ଦମା ରୁଜୁ କରିଛନ୍ତି ।

ଗତ କିଛି ହେଲା ନବାବ ମଲ୍ଲିକ ଏହି ଘଟଣାରେ ବିଜେପି ନେତା ମୋହିତ କମ୍ବୋଜଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଖାଲି ସେତିକି ନୁହେଁ ସେ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ମଧ୍ୟ ଲଗାଇବାରେ ଲାଗିଛନ୍ତି । ମୁମ୍ବାଇ ଡ୍ରଗ୍ସ କେସରେ ମୋହିତ ଓ ତାଙ୍କ ପରିବାରର କନେକ୍ସନ ଥିବା ନବାବ ମଲ୍ଲିକ ଅନେକ ଥର ଅଭିଯୋଗ କରିସାରିଲେଣି । ଯାହା ପରେ ଗତ ଅକ୍ଟୋବର ୯ ତାରିଖରେ ମୋହିତ କମ୍ବୋଜ ଏନେଇ ନବାବ ମଲ୍ଲିକଙ୍କୁ ଏକ ନୋଟିସ୍ ଜାରି କରିବା ସହିତ ବିନା କୌଣସି ପ୍ରମାଣରେ ତାଙ୍କ ବିରୋଧରେ ଏପରି ଅଭିଯୋଗ ନ ଆଣିବାକୁ କହିଥିଲେ ।

ଏହାସତ୍ତ୍ୱେ ଅକ୍ଟୋବର ୧୧ ତାରିଖରେ ପୁଣି ନବାବ ମଲ୍ଲିକ, ମୋହିତ କମ୍ବୋଜଙ୍କ ଉପରେ ନିଜର ହଲ୍ଲାବୋଲ ଜାରି ରଖିଥିଲେ । ଯେଉଁଥିପାଇଁ ଏବେ ମୋହିତ କମ୍ବୋଜ, ନବାବ ମଲ୍ଲିକଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିବା ସହିତ ତାଙ୍କ  ବିରୋଧରେ କେସ ରୁଜୁ କରିଛନ୍ତି । ମୋହିତଙ୍କ କହିବା କଥା, ସେ ବିଜେପିର ସଦସ୍ୟ ଅଟନ୍ତି, ତା ସହିତ ତାଙ୍କର ବ୍ୟବସାୟ ମଧ୍ୟ ରହିଛି । ନବାବ ମଲ୍ଲିକଙ୍କର ଏପରି ଦାୟିତ୍ୱହୀନ ମନ୍ତବ୍ୟ ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଉଛି ।

ସୂଚନାଯୋଗ୍ୟ ଯେ, ଏନସିବି କ୍ରୁଜ ଉପରେ ଚଢାଉ କରି ଆଠ ଜଣକୁ ନିଜ ହେପାଜତକୁ ନେଇଥିଲା । ହେଲେ ନବାବ ମଲ୍ଲିକ ଅଭିଯୋଗ କରୁଛନ୍ତି ଯେ, ଏନସିବି ପ୍ରଥମେ ୧୧ ଜଣଙ୍କୁ ଏହି ମାମଲାରେ ହେପାଜତକୁ ନେଇଥିଲା । ହେଲେ ଜଣେ ବିଜେପି ନେତାଙ୍କ କଲ୍ ପାଇବା ପରେ ସେ ୩ ଜଣଙ୍କୁ ଛାଡି ଦେଇଥିଲା । ତେବେ ଏହି ୩ ଜଣଙ୍କ ଭିତରେ ମୋହିତ କମ୍ବୋଜଙ୍କ ଶଳା ମଧ୍ୟ ସାମିଲ ଥିଲେ ।