ମଝି ସମୁଦ୍ରରୁ ଉଦ୍ଧାର ହେଲେ ଭାରତୀୟ ନୌସେନା କମାଣ୍ଡର ଅଭିଳାଷ! ପ୍ରବଳ ଝଡ ତୋଫାନରେ ହୋଇଥିଲେ ନିଖୋଜ

60

ଦକ୍ଷିଣ ଭାରତ ମହାସାଗରରେ ଫଶି ରହିଥିବା ଆଘାତପ୍ରାପ୍ତ ନୌସେନା କମାଣ୍ଡର ଅଭିଳାଷ ଟୋମିଙ୍କୁ ଉଦ୍ଧାର କରାଯାଇଛି । ଫ୍ରେଞ୍ଚ ନୌସେନା ଜାହାଜ ଦ୍ୱାରା ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭାରତୀୟ ନୌସେନାର କମାଣ୍ଡର ଅଭିଳାଷ ଟୋମି ଗୋଲଡେନ ଗ୍ଲୋବ ରେସରେ ଭାଗ ନେଇଥିବା ବେଳେ ଦକ୍ଷିଣ ଭାରତ ମହାସାଗରରେ ଆସିଥିବା ଝଡ ତୋଫାନରେ ଫଶି ଯାଇଥିଲେ ଓ ନିଖୋଜ ହୋଇଯାଇଥିବା ସର୍ମ୍ପକରେ ସୂଚନା ଦେଇଥିଲେ ।

ପାଖାପାଖି ୧୪ମିଟର ଉଚ୍ଚର ଜୁଆର ଓ ୧୩୦କିଲୋମିଟର ବେଗରେ ପବନ ବହିବାରୁ ତାଙ୍କ ପାଲଟଣା ଡଙ୍ଗା ଦକ୍ଷିଣ ଭାରତ ମହାସାଗରରେ ଖରାପ ହୋଇଯାଇଥିଲା। ଏଥିସହ ତାଙ୍କ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ । ତାଙ୍କ ପାଖରେ ଅତ୍ୟାଧୁନିକ ଭିଏଚଏଫ୍ ରେଡିଓ ସେଟ ଥିଲେ ମଧ୍ୟ ଆଘାତ ଯୋଗୁଁ ଅଭିଳାଶ ତାହାକୁ ବ୍ୟବହାର କରିପାରୁନଥିଲେ ।

ଗୋଲଡେନ ଗ୍ଲୋବ ରେସରେ ଭାଗ ନେଇଥିବା ଅଭିଳାଷ ନିଜର ପାଲଟଣା ଜାହାଜ ସାହାର୍ଯ୍ୟରେ ୪୮୨୮୦ କିଲୋମିଟର ଯାତ୍ରା ସହ ପୂରା ବିଶ୍ୱ ଭ୍ରମଣ କରିବାର ଥିଲା । କିନ୍ତୁ ମଝି ସମୁଦ୍ରରେ ଭୟାନକ ଝଡ ଆସିବା ଯୋଗୁଁ ତାଙ୍କ ଡଙ୍ଗା କ୍ଷତିଗ୍ରସ୍ତ ହେବା ସହ ସେ ନିଜେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ତାଙ୍କୁ ଅଷ୍ଟ୍ରେଲିଆର ପର୍ଥ ସହର ଠାରୁ ୩ ହଜାର କିଲୋମିଟର ଦୂରରେ ଠାବ କରାଯାଇଥିଲା । ୧୯୭୯ରେ ଜନ୍ମ ଗ୍ରହଣ କରିଥିବା ଅଭିଳାଷଙ୍କୁ ସେତେବେଳେ ପୂରା ଦେଶ ଜାଣିଥିଲା ଯେତେବେଳେ ୨୦୧୩ରେ ସେ ଏକା ବିନା କାହା ସହାୟତାରେ ଗୋଟିଏ ପାଲଟଣା ଡଙ୍ଗା ସାହାର୍ଯ୍ୟରେ ଜଳପଥରେ ପୂରା ବିଶ୍ୱ ଭ୍ରମଣ କରିଥିଲେ । ଏଭଳି କରିବାରେ ଅଭିଳାଷ ପ୍ରଥମ ଭାରତୀୟ ଥିଲେ ।