କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ଚାକଚକ୍ୟ କମିଛି, ହେଲେ ଶ୍ରଦ୍ଧାଳୁଙ୍କ ମଧ୍ୟରେ କମିନି ଭକ୍ତି ଓ ଉତ୍ସାହ । ମହାନବମୀରେ ମହାମାୟାଙ୍କ ଆରାଧନାରେ ପୂଜା ମଣ୍ଡପରେ ଭକ୍ତିମୟ ପରିବେଶ । ଟ୍ୱିନ ସିଟିର ସମସ୍ତ ପୂଜା ମଣ୍ଡପରେ ନିରାଡମ୍ବରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।
ଭକ୍ତଙ୍କ ପାଇଁ ମଣ୍ଡପକୁ ଆସି ମା’ଙ୍କ ଦର୍ଶନ ଉପରେ କଟକଣା ଲାଗିଥିବା ବେଳେ ଏହାକୁ ଭରଣା କରିବାକୁ ପୂଜା କମିଟି ମାନେ ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି । ଭକ୍ତଙ୍କ ପାଇଁ ଲକ୍ଷେ ଲଡୁ ପ୍ରସ୍ତୁତ କରିଛି ଭୁବନେଶ୍ୱର ଷ୍ଟେସନ ବଜାର ପୂଜା କମିଟି । ଭୋଗ ଭକ୍ତଙ୍କ ପାଖରେ ପହଂଚୁନଥିବାରୁ ଘରେ ଘରେ ଭୋଗ ପଂହଚାଇବାକୁ ନିଷ୍ପତି ନେଇଛି ପୂଜା କମିଟି ।
ସେପଟେ ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାର ନବଦୁର୍ଗା ସାଂସ୍କୃତିକ କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାରେ ସଂଧ୍ୟାରେ ୧୦୮ ଆଳତୀ ସହିତ ବିଶେଷ ଭୋଗ ଲାଗି କରାଯାଉଛି । ଅଷ୍ଟମୀ, ନବମୀ ଏବଂ ଦଶମୀ ତିଥୀରେ ମାଆଙ୍କ ନିକଟରେ ୧୦୮ ପ୍ରକାରର ଭୋଗ ମଧ୍ୟ ଲାଗି କରାଯାଉଛି ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ସର୍ବପୁରାତନ ମନ୍ଦିର ଛକ ଓ ପଂଚମୂଖୀ ଛକରେ ମହାନବମୀ ପୂଜା ବଂଗୀୟ ରୀତି ଅନୁସାରେ ଅନୁଷ୍ଠିତ ହେଉଛି । ସେହିପରି ବସ ଷ୍ଟାଣ୍ଡ ଦୁର୍ଗା ମନ୍ଦିର ପୀଠରେ ନବଦିନାତ୍ମକ ପୂଜା ହେଉଛି ।
ଯାଜପୁରର ବିରଜା କ୍ଷେତ୍ରରେ ନବମୀ ତିଥିରେ ମା ବିରଜା ରଥରୁ ଅବତରଣ କରି ବିଳମ୍ବିତ ରାତିରେ ଘଂଟବାଦ୍ୟର ତାଳେତାଳେ ଲାଖବିନ୍ଧା ପଡିଆ ଅଭିମୁଖେ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ମା ବିରଜା ମହିଷାସୁରକୁ ଲାଖ ବିନ୍ଧି ବଦ୍ଧ କରିବା ପରେ ମନ୍ଦିରକୁ ପ୍ରବେଶ କରିଛନ୍ତି ।
ମଣ୍ଡପକୁ ଯାଇ ସିନା ଦର୍ଶନ ଉପରେ କଟକଣା ରହିଛି । ହେଲେ ଭକ୍ତ ନିଜ ଚିତ୍ରକଳା ମାଧ୍ୟରେ ଶକ୍ତିଙ୍କ ମହିମାର ଗୁଣଗାନ କରୁଛନ୍ତି । ଜଟଣୀର ଶିଳ୍ପୀ ଇଶ୍ୱର ରାଓ କାଚ ବୋତଲ ଭିତରେ ଦେବୀ ଦୁର୍ଗାଙ୍କ ୩ ଇଂଚ ଲମ୍ବ ଓ ୨ ଇଂଚ ଓସାରର ମୁର୍ତିକୁ ତିଆରି କରିଛନ୍ତି ।