ଆରମ୍ଭ ହେଲା ନବରାତ୍ର ପୂଜା : ବିଭିନ୍ନ ପୀଠରେ କଳସ ସ୍ଥାପନ ପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ସଂକଳ୍ପ ନେଲେ ବ୍ରତଧାରୀ

ମାଆଙ୍କ ଆବହନରେ ଉତ୍ସବ ମୁଖର ହେଲେ ଶ୍ରଦ୍ଧାଳୁ

176

କନକ ବ୍ୟୁରୋ : ଦେଶର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି ପୂଜା । ଦୂର୍ଗାପୂଜା ଅବସରରେ ୯ ଦିନ ବ୍ୟାପୀ ୯ଟି ସ୍ୱରୂପରେ ମାଆଙ୍କ ପୂଜାର୍ଚ୍ଚନା ହୋଇଥାଏ । ନବରାତ୍ରିର ପ୍ରଥମ ଦିନରେ କଳସ ବା ଘାଟ ସ୍ଥାପନ କରାଯିବା ପରେ ବ୍ରତଧାରୀମାନେ ମାଆ ଦୁର୍ଗାଙ୍କ ପୂଜା ପାଇଁ ସଂକଳ୍ପ ନେବାର ବିଧି ରହିଛି । ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ହୋଇଥାଏ ।

ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ନବରାତ୍ର ପୂଜାର ପ୍ରଥମ ଦିନରେ ସାମିଲ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରଥା ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ନବରାତ୍ରି ପୂଜା ଆରମ୍ଭ ହୋଇଥାଏ । ମହାନବମୀ ଦିନ ଏହି ବ୍ରତର ସମାପନ କରାଯାଏ । ଏହାର ପରଦିନ ବିଜୟା ଦଶମୀ ବା ଦଶହରା ପର୍ବ ପାଳନ କରାଯାଏ । ଏଥର ତୃତୀୟା ଓ ଚତୁର୍ଥୀ ତିଥି ଗୋଟିଏ ଦିନ ପଡୁଥିବାରୁ ଏଥର ନବରାତ୍ରି ବ୍ରତ ୮ ଦିନ ଧରି ପାଳନ କରାଯିବ । ୧୪ ତାରିଖ ମହାନବମୀରେ ବ୍ରତ ସମାପନ ହେବ ଏବଂ ୧୫ ତାରିଖରେ ପାଳନ ହେବ ଦଶହରା ।