ନବରାତ୍ରୀର ନବମ ଦିନରେ ପୂଜା ପାଆନ୍ତି ମା’ ସିଦ୍ଧିଦାତ୍ରୀ ! ଅଷ୍ଟସିଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧିଦାତ୍ରୀଙ୍କ ପୌରାଣିକ ଗାଥା ସମ୍ବନ୍ଧରେ କିଛି ଜାଣନ୍ତୁ 

178

ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ମା’ ଦୂର୍ଗାଙ୍କ ନବମ ଶକ୍ତିର ଉର୍ଜ୍ଜାରୁ ଜନ୍ମ ନେଇଛନ୍ତି ମା’ ସିଦ୍ଧିଦାତ୍ରୀ । ସବୁ ପ୍ରକାରର ସିଦ୍ଧିକୁ ଆଶୀର୍ବାଦ ସ୍ୱରୁପ ଦେଉଥିବା ମା’ ମହାମାୟାଙ୍କୁ ନବରାତ୍ରୀର ମହାନବମୀ ଦିନ ଉପାସନା କରାଯାଏ । ଏହି ଦିନ ଶାସ୍ତ୍ରୀୟ ବିଧି-ବିଧାନ ଏବଂ ପୂର୍ଣ୍ଣ ନିଷ୍ଠାର ସହ ସାଧନା କରିବା ଦ୍ୱାରା ନାନାଦି ପ୍ରକାର ସିଦ୍ଧି ପ୍ରାପ୍ତି ହୁଏ । ମାର୍କଣ୍ଡେୟ ପୁରାଣ ଅନୁସାରେ , ଅଣିମା,ମହିମା,ଗରିମା,ଲଘିମା,ପ୍ରାପ୍ତି,ପ୍ରାକାମ୍ୟ,ଈଷିତ୍ୱ ଏବଂ ବଶିତ୍ୱ ଏହି ଅଷ୍ଟସିଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସିଦ୍ଧିଦାତ୍ରୀ ।

ମା’ସିଦ୍ଧିଦାତ୍ରୀ ଭକ୍ତ ଏବଂ ସାଧକଙ୍କୁ ଏହି ସବୁ ସିଦ୍ଧି ପ୍ରଦାନ କରିବାରେ ସମର୍ଥ ଥାଆନ୍ତି । ଦେବୀପୁରାଣ ଅନୁସାରେ , ଭଗବାନ ଶିବ ମାତାଙ୍କ କୃପାରୁ ହିଁ ଏହି ସିଦ୍ଧି ପ୍ରାପ୍ତ କରିଥିଲେ । ମାତାଙ୍କ ଅନୁକମ୍ପାରୁ ହିଁ ମହାଦେବଙ୍କ ଅର୍ଦ୍ଧ ଶରୀର ଦେବୀର ହୋଇଥିଲା । ଏହି ଶରୀର ପରେ ଅର୍ଦ୍ଧନାରେଶ୍ୱର ନାଁରେ ପୂଜ୍ୟ ହୋଇଥିଲା । ଚତୁଃଭୁଜା ମା’ ସିଦ୍ଧିଦାତ୍ରୀଙ୍କ ବାହନ ସିଂହ । କମଳ ପୁଷ୍ପରେ ବିରାଜିତା ମା’ ଙ୍କ ଡାହାଣପଟର ନିମ୍ନ ହସ୍ତରେ କମଳପୁଷ୍ପ ରହିଛି । ନବଦୂର୍ଗାଙ୍କ ୯ ରୂପର ଅନ୍ତିମ ରୂପ ହେଉଛନ୍ତି ମା’ । ଅଷ୍ଟଦୂର୍ଗାଙ୍କ ଉପାସନା ପଶ୍ଚାତ୍ ମା’ ସିଦ୍ଧିଦାତ୍ରୀଙ୍କ ଉପାସନା ସମ୍ପନ୍ନ କରିବା ପରେ ଭକ୍ତ ନବଦୂର୍ଗାଙ୍କୁ ପ୍ରସନ୍ନ କରିଥାନ୍ତି । ଲୌକିକ,ପରଲୌକିକ ସବୁ ପ୍ରକାର କାମନାର ପୂର୍ତ୍ତୀ ହୋଇଥାଏ ।