କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଉଡସ୍ପିକରରେ ଅଜାନ ଓ ହନୁମାନ ଚାଳିଶା ବାଜିବାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏପରିକି ଉଦ୍ଧବ ଠାକରେଙ୍କ ବାସଭବନ ସାମ୍ନାରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିବା ପରେ ଗିରଫ ହୋଇଛନ୍ତି ସାଂସଦ ନବନୀତ ରାଣା । ଆଉ ଏସବୁ ଭିତରେ ଏବେ ନବନୀତ ରାଣାଙ୍କ କୁନି ଝିଅ ହନୁମାନ ଚାଳିଶା ପାଠ କରିଛନ୍ତି ।

Advertisment

ସାଂସଦ ନବନୀତ ରାଣା ଓ ବିଧାୟକ ରବି ରାଣାଙ୍କ ୮ ବର୍ଷୀୟ ଝିଅ ଆରୋହି ରାଣା ନିଜ ବାପା ଓ ମା’ଙ୍କ ତୁରନ୍ତ ଜେଲରୁ ମୁକ୍ତି ନିମନ୍ତେ ଅମରାବତୀରେ ହନୁମାନ ଚାଳିଶା ପାଠ କରିଛନ୍ତି । ଆରୋହି କହିଛନ୍ତି, ମୋ ବାପା ଓ ମା’ଙ୍କ ତୁରନ୍ତ ଛାଡି ଦିଆଯାଉ ସେନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି । ନବନୀତ ରାଣା ଓ ରବି ରାଣା ଏବେ ଜେଲରେ ଥିବା ବେଳେ ଆସନ୍ତା ୨୯ରେ ଜାମିନ ନେଇ ଶୁଣାଣି ହେବ ।

ଲାଉଡସ୍ପିକର ବିବାଦ ଭିତରେ ରାଣା ଦମ୍ପତି ଗତ ସପ୍ତାହରେ ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିଥିଲେ । ଆଉ ଏହି ଘୋଷଣା ପରେ ରାଣା ଦମ୍ପତିଙ୍କ ଘର ସାମ୍ନାରେ ଶହ ଶହ ଶିବସୈନିକ ଏକାଠି ହୋଇ ନାରା ଦେଇଥିଲେ । ପରେ ରାଣା ଦମ୍ପତିଙ୍କ ନାଁରେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପରେ ରାଣା ଦମ୍ପତିଙ୍କୁ ପୋଲିସ ଗିରଫ କରିବା ସହ ଜେଲକୁ ପଠାଇଥିଲା । ତେବେ ଏନେଇ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସାଂସଦ ନବନୀତ ରାଣାଙ୍କ ଗିରଫଦାରୀକୁ ନେଇ ଏକ ରିପୋର୍ଟ ମାଗିଛି । କାରଣ ଜେଲରେ ରହି ନବନୀତ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିବା ସହ କହିଥିଲେ, ଜେଲରେ ତାଙ୍କୁ ପାଣି ଦିଆଯାଉନି ଏପରିକି ବାଥରୁମ ମଧ୍ୟ ଯିବାକୁ ଦିଆଯାଉନି । କିନ୍ତୁ ମୁମ୍ବାଇ ପୋଲିସ କମିଶନର ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ନବନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣା ଜେଲରେ ବସି ଚା’ ପିଉଥିବାର ଦେଖିବାକୁ ମିଳିଥିଲା ।