କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସାମ୍ନାରେ ହନୁମାନ ଚାଳିଶା ପଢିବା ଘୋଷଣା କରି ଗିରଫ ହୋଇଥିବା ଅମରାବତୀ ସାଂସଦ ନବନୀତ ରାଣା ରବିବାର ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଆଉ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନବନୀତ କହିଛନ୍ତି, ହନୁମାନ ଚାଳିଶା ପଢିବା ପାଇଁ ୧୪ ଦିନ କଣ ୧୪ ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛି । ଏହାସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ମହାରାଷ୍ଟ୍ରର ଯେଉଁ କୌଣସି ସ୍ଥାନରୁ ଉଦ୍ଧବ ଛିଡାହେଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ମୁଁ ଛିଡାହେବି । ଯଦି ସାହସ ଅଛି ମୋ ସହ ଲଢିକି ଦେଖାନ୍ତୁ ।

Advertisment

ଏହାସହ ନବନୀତ କହିଛନ୍ତି, ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ନାଁ ନେଉଥିବା ଲୋକଙ୍କୁ ହଇରାଣ କରୁଥିବା ଲୋକଙ୍କର କଣ ପରିଣାମ ହେବ ତାହା ଉଦ୍ଧବ ଠାକରେ ସରକାରଙ୍କୁ ମହାରାଷ୍ଟ୍ରର ଜନତା ଜବାବ ଦେବେ । ଅଦାଲତ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ସମ୍ମାନ ଦେବି କିନ୍ତୁ ମୋତେ ଯେଉଁଭଳି ଅତ୍ୟାଚାର କରାଯାଇଛି ତାହା ବିରୋଧରେ ସ୍ୱର ସବୁଠି ଉଠାଇବି । ମୁଖ୍ୟମନ୍ତ୍ରୀଙ୍କ ଚାପରେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମୁଖ୍ୟମନ୍ତ୍ରୀ କାହାକୁ ଭେଟୁନାହାନ୍ତି, ରାଜ୍ୟର କୌଣସି ସ୍ଥାନକୁ ଗସ୍ତ କରୁନାହାନ୍ତି । ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଅଛନ୍ତି କି ନାହାନ୍ତି ତାହା ଜଣାପଡୁନି । ଏହି ମାମଲାରେ ନବନୀତ ୧୩ ଦିନ ଜେଲରେ ରହିଛନ୍ତି । ଉଭୟ ରାଣା ଦମ୍ପତିଙ୍କୁ ୨୩ ଏପ୍ରିଲରେ ଗିରଫ କରିଥିଲା ପୋଲିସ ।