କନକ ବ୍ୟୁରୋ : ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ । ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରି ଅମରାବତୀର ସାଂସଦ ନବନୀତ ରାଣା ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଆଉ ଜେଲରୁ ରହି ସାଂଘାତିକ ଅଭିଯୋଗ ଆଣିଛନ୍ତି ନବନୀତ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ନବନୀତ କହିଛନ୍ତି, ଜେଲରେ ପିଇବା ପାଣି ମାଗିଲେ ତାଙ୍କୁ ନୀଚ ଜାତିର ବୋଲି କୁହାଯାଉଛି ।

Advertisment

କେବଳ ଏତିକି ନୁହେଁ ନବନୀତ କହିଛନ୍ତି, ରାତିରେ ଶୌଚାଳୟ ବ୍ୟବହାର କରିବାକୁ ଚାହିଁଥିଲି କିନ୍ତୁ ପୋଲିସ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏପରିକି ମୋତେ ଖରାପ ଭାଷାରେ ଗାଳି କରିଥିଲେ । ମୋତେ କହିଥିଲେ, ତୁମ ଭଳି ନୀଚ ଜାତି ତଥା ଅନୁସୂଚିତ ଜାତିର ଲୋକଙ୍କୁ ଆମ ଶୌଚାଳୟ ବ୍ୟବହାର କରିବାକୁ ଦିଆଯାଏ ନାହିଁ ବୋଲି କହିଥିଲେ ।

ଏହାସହ ନବନୀତ ରାଣା କହିଛନ୍ତି, କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସରକାର ନିଜର ହିନ୍ଦୁତ୍ୱ ସିଦ୍ଧାନ୍ତରୁ ଦୂରକୁ ଚାଲିଯାଇଛନ୍ତି । କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସାର୍ବଜନିକ ଜନାଦେଶକୁ ଧୋକା ଦେଇଛନ୍ତି ଉଦ୍ଧବ ।

ଏହାପୂର୍ବରୁ ମୁମ୍ବାଇ ପୋଲିସ ରାଣା ଦମ୍ପତିଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା । ଏପରିକି କୋର୍ଟ ମଧ୍ୟ ରାଣା ଦମ୍ପତିଙ୍କୁ ୧୪ ଦିନର ବିଚାର ବିଭାଗୀୟ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ରବିବାର ବିଳମ୍ବିତ ରାତିରେ ସାଂସଦ ନବନୀତ ରାଣାଙ୍କୁ ଜେଲକୁ ପଠାଯାଇଥିଲା ।