କନକ ବ୍ୟୁରୋ : କରୋନା ମହାମାରୀ, ବେରୋଜଗାରୀ ଭଳି ଦେଶରେ ଅନେକ ମୁଖ୍ୟ ସମସ୍ୟା ରହିଥିବା ବେଳେ ଏବେ ଦେଶରେ ଆଜାନ ଓ ହନୁମାନ ଚାଳିଶାକୁ ନେଇ ବିବାଦ ଆଗକୁ ବଢୁଛି । ଏହି କ୍ରମରେ ଗତକାଲି ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ମୁମ୍ବାଇରେ ହନୁମାନ ଚାଳିଶା ପାଠ କରିବାକୁ ନେଇ ଜାରି ରହିଛି ହଟ୍ଟଗୋଳ । ଏହି ମାମଲାରେ ଗତକାଲି ଗିରଫ ହୋଇଥିବା ସ୍ୱାଧିନ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଆଜି ପୋଲିସ ବାନ୍ଦ୍ରା କୋର୍ଟରେ ହାଜର କରିଛି । ନବନୀତ କୋର୍ଟରେ ପହଂଚିବା ପୂର୍ବରୁ ତାଙ୍କୁ ପୁଣି ଏକ ଝଟକା ଲାଗିଛି । ସରକାରୀ କାମରେ ଦଖଲ ଦେଉଥିବା ଅଭିଯୋଗରେ ତାଙ୍କ ଉପରେ ଆଇପିସିର ଧାରା ୩୫୩ କ୍ରମରେ ପୁଣି ଏକ ମାମଲା ରୁଜୁ ହେଇଛି ।
ଗତକାଲିର ଘଟଣାକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ବଲସେ କହିଛନ୍ତି କି ହନୁମାନ ଚାଳିଶା ପଢିବା ନାମରେ ରାଜ୍ୟରେ ଦଙ୍ଗା କରିବାକୁ ଚେଷ୍ଟା କରାଯାଉଛି । ଏହା ଉପରେ ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବେ । ସେ ଆହୁରି କହିଛନ୍ତି କି ବିଜେପି ନେତା କରିଟ ସୋମେୟାଙ୍କ ଉପରେ ପଥରମାଡ ହୋଇଛି । ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଉପରେ ଯାଂଚ ଚାଲିଛି ।
କହିରଖୁ କି ଶନିବାର ଦିନ ପୋଲିସ ନବନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଧାରା ୧୫୩ ଆଧାରରେ ଗିରଫ କରିଥିଲା । କୁହାଯାଇଛି କି ଧର୍ମ ଆଧାରରେ ଦୁଇ ଧମ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରାଯାଇଛି ।