ପଂଜାବ ମନ୍ତ୍ରୀମଣ୍ଡଳରେ ସିଦ୍ଧୁଙ୍କୁ ତୀବ୍ର ବିରୋଧ; ବିପଦରେ ମନ୍ତ୍ରୀ ପଦ । ସିଦ୍ଧୁଙ୍କ ଇସ୍ତଫା ଦାବି କଲେ ୪ ମନ୍ତ୍ରୀ

474

କନକ ବ୍ୟୁରୋ : ପଂଜାବର ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁଙ୍କ ଇସ୍ତଫା ଦାବି ଜୋର ଧରିଲାଣି । ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ଦାବି କରିଛନ୍ତି କି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ସିଦ୍ଧୁଙ୍କୁ ଇସ୍ତଫା ଦେବା ଉଚିତ୍ । ଏମିତିରେ ସାଧାରଣ ନିର୍ବାଚନର ୨୩ ମଇରେ ଆସିବାକୁ ଥିବା ଫଳାଫଳ ପୂର୍ବରୁ ପଂଜାବ କଂଗ୍ରେସ ଓ ସରକାରଙ୍କ ମଧ୍ୟରେ ଅପୋଷ ବିବାଦ ଚରମ ସୀମାରେ ପହଂଚି ସାରିଲାଣି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ କଂଗ୍ରେସ ଷ୍ଟାର ପ୍ରଚାରକ ସିଦ୍ଧୁ ଅମରିନ୍ଦରଙ୍କୁ ଟାର୍ଗେଟ କରି କହିଥିଲେ କି, ଧାର୍ମିକ ପୁସ୍ତକ ବିବାଦ ମାମଲାରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଅକାଳୀ ଦଳ ମଧ୍ୟରେ ମଧୁଚନ୍ଦ୍ରିକା ଅଛି । ସିଦ୍ଧୁଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି, ଅମରିନ୍ଦରଙ୍କ କାରଣରୁ ତାଙ୍କ ଟିକେଟ୍ କଟିଲା । ଯାହା ଉପରେ ସିଦ୍ଧୁ କହିଥିଲେ କି, ତାଙ୍କ ପତ୍ନୀ କେବେ ମିଛ କହନ୍ତିନି ।

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତଥା ପଟିଆଲା ଲୋକସଭା ପ୍ରାର୍ଥୀ ପରନୀତ କୌର ଓ ଦଳର ରାଜ୍ୟ କ୍ୟାମ୍ପେନ୍ କମିଟି ପ୍ରମୁଖ ଲାଲ ସିଂହ ସିଦ୍ଧୁଙ୍କ ବିରୁଦ୍ଧରେ ମୋର୍ଚ୍ଚା ବାହାର କଲେଣି । ପଂଜାବ ସରକାରର ମନ୍ତ୍ରୀ ତ୍ରିପତ ରାଜେନ୍ଦ୍ର ସିଂହ ବାଜୱା, ଭାରତ ଭୂଷଣ, ଶ୍ୟାମ ସୁନ୍ଦର ଅରୋଡା ଓ ରାଣା ଗୁରମିତ୍ ସିଂହ ସୋଢ଼ି ସିଦ୍ଧୁଙ୍କୁ ଟାର୍ଗେଟରେ ରଖିଛନ୍ତି । ବାଜୱା କହିଛନ୍ତି, “ଯଦି ସିଦ୍ଧୁଙ୍କୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନେତୃତ୍ୱ ଉପରେ ଭରସା ନାହିଁ, ତେବେ ତାଙ୍କୁ ପଦ ଛାଡିଦେବା ଉଚିତ୍ । ଯଦି ସେ ନୈତିକ ଭାବେ ଏତେ ଶକ୍ତ ତେବେ ନିଜ ପଦ କାହିଁକି ଛାଡୁ ନାହାଁନ୍ତି ଓ ଏମିତି ବ୍ୟକ୍ତିଙ୍କ ସହ କାମ କରୁଛନ୍ତି, ଯାହା ଉପରେ ବିଶ୍ୱାସ ନାହିଁ ।”