ସବୁ ମନୋମାଳିନ୍ୟକୁ ପଛରେ ପକାଇ ପୁଣି ପଞ୍ଜାବ କଂଗ୍ରେସର ମଙ୍ଗ ଧରିପାରନ୍ତି ନବଜୋତ୍ ସିଂ ସିଦ୍ଧୁ । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବା ନେଇ ଆଶା ସଂଚାର

181

କନକ ବ୍ୟୁରୋ : ୨ ବର୍ଷ ଧରି କଂଗ୍ରେସ ଠାରୁ ଦୂରେଇ ଯାଇଥିବା ପୂର୍ବତନ କ୍ରିକେଟର ନବଜୋତସିଂ ସିଦ୍ଧୁ ପୁଣିଥରେ କଂଗ୍ରେସକୁ ଫେରି ପାରନ୍ତି ବୋଲି ସୂଚନା ମିଳିଛି । ତାଙ୍କୁ ଦଳକୁ ଫେରାଇ ଆଣିବାକୁ କଂଗ୍ରେସ ଦଳ ୩ ଟି ଫର୍ମୁଲାରେ କାମ କରୁଥିବା କୁହାଯାଇଛି । ଏପରି ସ୍ଥଳେ ଦଳର ନେତୃତ୍ୱ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହ ତାଙ୍କର ଥିବା ମନୋମାଳିନ୍ୟ ତୁଟିଥିବା ବି କୁହାଯାଇଛି । ତାଙ୍କୁ ଦଳକୁ ଫେରାଇ ଆଣି ତାଙ୍କୁ ଦଳରେ କେଉଁ ଭୂମିକା ଦିଆଯିବ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ମାନେ ଚିନ୍ତା କରୁଛନ୍ତି । ଏହାସହ ଅମରିନ୍ଦରଙ୍କ ଘୋର ବିରୋଧି ଥିବା ରାଜ୍ୟସଭା ସାଂସଦ ପ୍ରତାପ ସିଂ ବାୱଜା ବି ପୁଣିଥରେ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦ ପଞ୍ଜାବ କଂଗ୍ରେସର ନୂଆ ପ୍ରଭାରୀ ହରିଶ ରାୱତଙ୍କ ହାତ ଥିବା ଆଲୋଚନା ହେଉଛି । ଦଳ ପକ୍ଷରୁ କୁହାଯାଇଛି ଯେ ଯଦି ସିଦ୍ଧୁ ଦଳକୁ ଫେରନ୍ତି ତାହେଲେ ଅମରିନ୍ଦର ସିଂ ତାଙ୍କ କୌଣସି ନୂଆ ଦାୟିତ୍ୱ ଦେବାର କିଛି ଅସୁବିଧା ନାହିଁ ।

ହେଲେ ତାଙ୍କର ଦଳକୁ ଫେରିବା କଥା କେବଳ ଅମରିନ୍ଦର ସିଂଙ୍କ ଉପରେ ନିର୍ଭର କରୁଛି । ଏମିତି କି ଅମରିନ୍ଦର ତାଙ୍କ ମନ୍ତ୍ରୀ ମଣ୍ଡଳରେ ସିଦ୍ଧୁଙ୍କୁ ସ୍ଥାନ ଦେବା କଥା ବି ଆଲୋଚନା ପରିସରକୁ ଆସିଛି । କହିରଖୁ କି ବର୍ତ୍ତମାନ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ସୁନିଲ ଜାଖଡଙ୍କ କାର୍ଯ୍ୟକାଳ ସରି ଆସୁଥିବାରୁ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିପାରେ ବୋଲି ଅନୁମାନ କରାଯାଉଛି ।

କହିରଖୁ କି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳୀ ଓ ଏବେ କ୍ରିକେଟ୍ ଭାଷ୍ୟକାର ଭାବେ କାମ କରୁଥିବା ନଭଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ଜଣେ ଲୋକପ୍ରିୟ ନେତା ଭାବେ ଉଭା ହୋଇଥିଲେ । ହେଲେ ଦଳ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ଏହାକୁ ନେଇ ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାପରେ ସିଦ୍ଧୁ ଦଳ ଭିତରେ ରହି ନିଷ୍କ୍ରିୟ ହୋଇଯାଇଥିଲେ ।