ପୁଣି ବିବାଦରେ ନବଜୋତ ସିଂହ ସିଦ୍ଧୁ: କରତାରପୁର କରିଡର ଯାତ୍ରାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କହିଲେ ମୋ ବଡ ଭାଇ 

155

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମୋ ବଡ ଭାଇ । କରତାରପୁର କରିଡର ଗସ୍ତ ବେଳେ ପଂଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଏପରି କହିଛନ୍ତିା ଯାହାକୁ ଏବେ ପ୍ରମୁଖ ପ୍ରସଙ୍ଗ କରି କଂଗ୍ରେସକୁ ଘେରିଛି ବିଜେପି । ଆଗକୁ ପଂଜାବରେ ବିଧାନସଭା ନିର୍ବାଚନ ରହିଛି । ଏପରି ସ୍ଥିତିରେ ସିଦ୍ଧୁଙ୍କ ଏପରି ବୟାନ କଂଗ୍ରେସକୁ ଅଡୁଆରେ ପକାଇପାରେ ।

ଇମ୍ରାନ୍ ମୋ ବଡ ଭାଇ… । ଯେଉଁ ପାକିସ୍ତାନ ଓ ଆତଙ୍କବାଦକୁ ବିଭିନ୍ନ ସମୟରେ ପ୍ରମୁଖ ପ୍ରସଙ୍ଗ କରି ବିଜେପି ବିଭିନ୍ନ ସମୟରେ ନିର୍ବାଚନ ଲଢୁଛି । ଆଉ ଆସନ୍ତାବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଛି । ସେହି ସମୟରେ ପଂଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତି ଥିବା ଭାଇଜାନ ପ୍ରୀତି ବିଜେପିକୁ ବେଶ ସୁହାଇଛି । କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଜେପି ବ୍ୟାକଫୁଟରେ ରହିଛି । କିନ୍ତୁ ସିଦ୍ଧୁଙ୍କ ଏପରି ବୟାନ ପୁଣିଥରେ କୃଷି ପ୍ରସଙ୍ଗକୁ ପଛକୁ ଠେଲି ଦେବାକୁ ବିଜେପିକୁ ସୁଯୋଗ ଦେଇଛି । ଆଉ ବିଜେପି ପ୍ରେସମିଟ୍ କରି କହିଛ. ଯାହା ଡର ଥିଲା ସେହିଆ ହେଲା । ରାହୁଲ ଗାନ୍ଧୀଙ୍କ ଇଂଗିତରେ ସିଦ୍ଧୁ ଦେଇଛନ୍ତି ଏପରି ବୟାନ ।

ବିଜେପି ଏହାକୁ ପ୍ରମୁଖ ପ୍ରସଙ୍ଗ କରି ଏବେ କଂଗ୍ରେସକୁ ପାକିସ୍ତାନର ସମର୍ଥକ ବୋଲି କହିବାକୁ ପ୍ରୟାସ ଆରମ୍ଭ କରିଛି । ଆଉ ଏହାକୁ ନେଇ ବିବାଦ ଘନଉଥିବା ଦେଖି ସିଦ୍ଧୁଙ୍କ ସମର୍ଥନରେ ବାହାରିଛନ୍ତି ପଂଜାବ ସରକାରର କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ପରଗତ ସିଂହ । ମୋଦୀ ପାକିସ୍ତାନ ଗଲେ ଦେଶ ପ୍ରେମୀ ବୋଲି କୁହାଯାଉଛି ଆଉ ସିଦ୍ଧୁ ଇମ୍ରାନଙ୍କୁ ବଡ ଭାଇ କହିଲେ ଦେଶ ଦ୍ରୋହୀ କିପରି ହେଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଗୁରୁ ନାନକଙ୍କ ଜୀବନଦର୍ଶନକୁ ସେ ଅନୁସରଣ କରନ୍ତି । ତେଣୁ ସିଦ୍ଧୁ ଏପରି କହିଛନ୍ତି  ବୋଲି ପରଗତ ସଫେଇ ଦେଇଛନ୍ତି । ସିଦ୍ଧୁ କିନ୍ତୁ ବିଜେପିର ପ୍ରଶ୍ନକୁ ଖାତିର କରିନାହାନ୍ତି ।

ପୂୂର୍ବରୁ ପାକିସ୍ତାନ ସେନା ମୁଖ୍ୟଙ୍କୁ ସିଦ୍ଧୁ ସର୍ବସମ୍ମୁଖରେ ଆଲିଙ୍ଗନ କରି ବିବାଦକୁ ଆସିଥିଲେ । ନିକଟରେ ଏହି ପ୍ରସଙ୍ଗରେ ସିଦ୍ଧୁ ଦେଶ ପାଇଁ ବଡ ବିପଦ ବୋଲି କହିଥିଲେ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ଏପରି ସ୍ଥିତିରେ ସିଦ୍ଧୁଙ୍କ ଏହି ଭାଇଜାନ ପ୍ରେମ ଦଳକୁ ଅଡୁଆରେ ପକାଇପାରୋ