ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ

192

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସ କନ୍ଦଳ ଆଉପାଦେ ଆଗକୁ ଯାଇଛି । କିଛିଦିନ ତଳେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଦଳର ହାଇକମାଣ୍ଡ ସିଦ୍ଧୁଙ୍କୁ ନିଯୁକ୍ତ କରିଥିବା ବେଳେ ଆଜି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସେ କହିଛନ୍ତି କି ସେ ଦଳରେ ରହିବେ । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଗୋଟେପଟେ ଆଜି ପଞ୍ଜାବର ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ବିଭାଗ ବଣ୍ଟନର କିଛି ସମୟ ମଧ୍ୟରେ ସିଦ୍ଧୁ ତାଙ୍କ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି । କହିରଖୁ କି ଯେତେବେଳେ ପଞ୍ଜାବ କଂଗ୍ରେସ ସରକାରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ଚନ୍ନୀ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରୁଥିଲେ ସେତେବେଳେ ସିଦ୍ଧୁଙ୍କୁ ଡକାଯାଇ ନଥିଲା । ଏନେଇ ପ୍ରଥମ ଦିନ ବୈଠକରେ ତାଙ୍କୁ ଡକାଯାଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ମନ୍ତ୍ରୀମାନଙ୍କର ନାମ ଯେତେବେଳେ ନିଷ୍ପତ୍ତି ନିଆଗଲା ସେତେବେଳେ ସିଦ୍ଧୁଙ୍କୁ ଡକାଯାଇ ନଥିଲା ।

କହିରଖୁ କି କିଛିଦିନ ହେବ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂଙ୍କ ଉପରେ ସନ୍ତୋଷ୍ଟ ନଥିଲେ । ଏହାକୁ ନେଇ ଦଳ ଭିତରେ ବାରମ୍ବାର କନ୍ଦଳ ଦେଖାଦେଇଥିଲା । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଅନେକ ଚେଷ୍ଟା କରିଥିଲେ ବି ତାହା ସମାଧାନ ହୋଇପାରି ନଥିଲା । ଅନ୍ୟପଟେ କ୍ୟାପଟେନଙ୍କ ଇସ୍ତଫା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତସିଂହ ଚନ୍ନୀଙ୍କୁ ନେଇ ଅଭିଯୋଗ କରିଥିଲେ ସିଦ୍ଧୁ । ଏସବୁ ଭିତରେ ପଞ୍ଜାବ ସରକାର ଗଠନ ହୋଇଥିଲା । ଚନ୍ନୀ ତାଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ସିଦ୍ଧୁଙ୍କ ନିକଟତର କୁହାଯାଉଥିବା କିଛି ବିଧାୟକଙ୍କୁ ବି ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ ।