ମୁହଁ ଖୋଲିଲେ ସିଦ୍ଧୁ । କହିଲେ, ପିସିସି ସଭାପତି ପଦରୁ ଇସ୍ତଫା ଦେବା ପଛର ପୂରା କାହାଣୀ

ଦିଲ୍ଲୀରେ ଅମରିନ୍ଦରଙ୍କ ପଦକ୍ଷେପ ଉପରେ ନଜର

208

କନକ ବ୍ୟୁରୋ : ଇସ୍ତଫା ପରେ ମୁହଁ ଖୋଲିଛନ୍ତି ନବଜୋତ ସିଂ ସିଦ୍ଧୁ । ଆଜି ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଟ୍ବିଟ କରିଥିବା ଭିଡିଓରେ ସେ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମୁଁ ପଞ୍ଜାବର କଲ୍ୟାଣ ପାଇଁ ଲଢ଼ୁଛି । ମୁଁ ଏହା ଉପରେ କଦାପି ଆପୋଷ ବୁଝାମଣା କରି ନାହିଁ । ମୁଁ ବ୍ୟକ୍ତିଗତ ଏଜେଣ୍ଡା ପାଇଁ କଦାପି ଯୁଦ୍ଧ କରେ ନାହିଁ । ମୁଁ ହାଇକମାଣ୍ଡକୁ ଭୁଲ୍ ମାର୍ଗଦର୍ଶନ କରିପାରିବି ନାହିଁ । ମୁଁ କୌଣସି ବଳିଦାନ ପାଇଁ ପ୍ରସ୍ତୁତ । ପଞ୍ଜାବ ସରକାରରେ ନୂତନ ନିଯୁକ୍ତି ସମ୍ପର୍କରେ ସିଦ୍ଧୁ କହିଛନ୍ତି ଯେ, କଳଙ୍କିତ ନେତା ତଥା କଳଙ୍କିତ ଅମଲାତନ୍ତ୍ରଙ୍କ ସହ ଆମେ ଏକ ନୂତନ ବ୍ୟବସ୍ଥା ଚଳାଇ ପାରିବୁ ନାହିଁ ।

ଏଭଳି କହି ସିଦ୍ଧୁ ବର୍ତ୍ତମାନ ପଞ୍ଜାବରେ ନୂତନ ଆଡଭୋକେଟ୍ ଜେନେରାଲଙ୍କ ନିଯୁକ୍ତିକୁ ଟାର୍ଗେଟ କରିଛନ୍ତି, ଯିଏକି ପୂର୍ବତନ ଡିଜିପି ସୁମେଦ ସାଇନିଙ୍କ ପରାମର୍ଶଦାତା ଥିଲେ । ଏହା ସହ ସେ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲା । ଉଲ୍ଲେଖଯୋଗ୍ୟ, ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ଲେଖିଥିବା ଚିଠି ସିଦ୍ଧୁ ଟ୍ବିଟରରେ ପୋଷ୍ଟ୍‌ କରିଥିଲେ । ସେ ଉକ୍ତ ଚିଠିରେ ଲେଖିଥିଲେ ଯେ, ‘ଜଣେ ବ୍ୟକ୍ତିର ଚରିତ୍ରର ପତନ ସାଲିସ କରିବାରୁ ହିଁ ଆରମ୍ଭ ହୋଇଥାଏ । ପଞ୍ଜାବର ଭବିଷ୍ୟତ ଦିଗରେ ଏବଂ ଲୋକଙ୍କର କଲ୍ୟାଣ ପ୍ରସଙ୍ଗରେ ମୁଁ ସାଲିସ କରିପାରିବି ନାହଁ । ତେଣୁ ମୁଁ ପିସିସି ସଭାପତି ପଦରୁ ଇସ୍ତଫା ଦେଉଛି । କିନ୍ତୁ କଂଗ୍ରେସ ଦଳରେ ସେବା ଜାରି ରଖିବି ।’

ସେପଟେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ସରଗରମ ବଢିଯାଇଛି । ଇସ୍ତଫାକୁ ନେଇ କଂଗ୍ରେସ ହାଇକମାଣ୍ଡ ନାରାଜ ଥିବା ଜଣାଯାଇଛି । ଖବର ଅନୁସାରେ, କୌଣସି କ୍ଷେତ୍ରରେ ବି ସାଲିସ କରାଯିବ ନାହିଁ ବୋଲି ମନସ୍ଥିର କରିଛନ୍ତି ଦଳୀୟ ନେତୃ୍ତ୍ୱ । ଏଥିପାଇଁ ରାଜ୍ୟରେ ନୂଆ ସଭାପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନ ସାଢେ ୧୨ଟାରେ ପଂଜାବ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ସେ କିଛି ବଡ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।