ପୁଣି ବିବାଦରେ ପଞ୍ଜାବ ପିସିସି ସଭାପତି ନବଜ୍ୟୋତ୍ ସିଂହ ସିଦ୍ଧୁ । ଇନ୍ଦିରା ଗାନ୍ଧୀ ଓ କଶ୍ମୀର ଉପରେ ପରାମର୍ଶଦାତାଙ୍କ ବିବାଦୀୟ ପୋଷ୍ଟକୁ ନେଇ ସମାଲୋଚନାର ହେଲେ ଶିକାର ।

ଦଳୀୟ ନେତା କହିଲେ ପରାମର୍ଶଦାତାଙ୍କ ଉପରେ ନାହିଁ ସିଦ୍ଧୁଙ୍କ ନିୟନ୍ତ୍ରଣ ।

238

କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତଙ୍କ ଠାରୁ ବିବାଦ ପିଛା ଛାଡୁନି । ଅନେକ ମାନସ ମନ୍ଥନ ପରେ ପଞ୍ଜାବର ପିସିସି ସଭାପତି ଦାୟିତ୍ୱ ସିନା ମିଳିଛି ହେଲେ ଏବେ ପୁଣିଥରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏଥର ନିଜ ପରାମର୍ଶଦାତାଙ୍କୁ ନେଇ ସେ ସମସ୍ୟା ଘେରରେ ଫଶିଛନ୍ତି । ସିଦ୍ଧୁଙ୍କ ରାଜନୈତିକ ପରାମର୍ଶ ଦାତା ମଲବିନ୍ଦର ସିଂହ ମାଲି କାଶ୍ମୀର ଓ ଇନ୍ଦିରା ଗାନ୍ଧିଙ୍କୁ ନେଇ ବିବାଦୀୟ ପୋଷ୍ଟ କରିବା ପରେ ତାଙ୍କୁ ଦଳୀୟ ନେତାଙ୍କ ସମାଲୋଚନାର ଶିକାର ହେବାକୁ ପଡିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟେନ୍ ଅମରିନ୍ଦର ସିଂହ କହିଛନ୍ତି, ସିଦ୍ଧୁଙ୍କୁ ତାଙ୍କ ପରାମର୍ଶଦାତାଙ୍କୁ ନିୟନ୍ତ୍ରଣରେ ରଖିବା ଉଚିତ୍ ।

ସେପଟେ ଜମ୍ମୁ କାଶ୍ମୀର ଓ ଇନ୍ଦିରା ଗାନ୍ଧିଙ୍କ ଉପରେ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଥିବା ସିଦ୍ଧୁ, ନିଜ ପରାମର୍ଶଦାତା ମଲବିନ୍ଦରଙ୍କୁ ସମନ କରିଛନ୍ତି । ଏଭଳି ବୟାନ ଦେବା ନେଇ ସଫେଇ ରଖିବାକୁ ସିଦ୍ଧୁ କହିଛନ୍ତି । ସେପଟେ ସିଦ୍ଧୁଙ୍କ ପରାମର୍ଶଦାତା ବିବାଦୀୟ ପୋଷ୍ଟକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି ।

ନିକଟରେ ସିଦ୍ଧୁଙ୍କ ପରାମର୍ଶଦାତା ମଲବିନ୍ଦର ସିଂହ ମଲି ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଉପରେ କେନ୍ଦ୍ର ସରକାର ପୁନଃ ବିଚାର କରିବା କଥା ବୋଲି କହିଥିଲେ । ଏହାସହ ୧୯୮୯ ମସିହାରେ ଏକ ମାଗାଜିନ୍ କଭର ପେଜରେ ବାହାରିଥିବା ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ମଲବିନ୍ଦର । ଫଟୋରେ ଇନ୍ଦିରା ଗାନ୍ଧି ଏକ ବନ୍ଧୁକ ଧରିଥିବାବେଳେ ବନ୍ଧୁକ ମୁନରେ ଖପୁରି ଲାଗିଥିବା ଦେଖିବାକୁ ମିଳିଛି । ଏହିଭଳି ପୋଷ୍ଟକୁ ପଞ୍ଜାବରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ଜୋର ଧରିଛି ।