ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ରହିବେ ସିଦ୍ଧୁ, ଚନ୍ନିଙ୍କ ସଂଗେ ଏହି ସର୍ତ୍ତ ଉପରେ ହେଲା ବୁଝାମଣା

119

କନକ ବ୍ୟୁରୋ : ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନିଙ୍କ ମଧ୍ୟରେ ଗତକାଲି ହୋଇଥିବା ବୈଠକ ସଫଳ ହୋଇଛି । ଏବେ ସିଦ୍ଧୁ ଓ ଚନ୍ନୀଙ୍କ ମଧ୍ୟରେ କିଛି ସର୍ତ୍ତକୁ ନେଇ ବୁଝାମଣା ହୋଇଛି । ଏହି ବୁଝାମଣା ପରେ ସିଦ୍ଧୁ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରି ପୁଣି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରେ ରହିବେ ବୋଲି ଜଣାପଡିଛି । ବିବାଦୀୟ ନିଯୁକ୍ତିକୁ ନେଇ ସିଦ୍ଧୁ ଯେଉଁ ସର୍ତ୍ତ ରଖିଥିଲେ ତାହା ଉପରେ ବିଚାର କରିବାକୁ ଚନ୍ନି ରାଜି ହୋଇଛନ୍ତି ।

ସେପଟେ କାଲିର ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ଚରଣଜିତସିଂହ ଚନ୍ନୀ ଦଳର ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଆସୁଛନ୍ତି । ଚନ୍ନି ଦିଲ୍ଲୀ ଆସିବାକୁ ନେଇ ଆକଳନ କରାଯାଇଛି କି ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକ ସଫଳ ହୋଇଛି । ଅନ୍ୟପଟେ ଦିଲ୍ଲୀରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟ କରିବା ବେଳେ ଦଳର ବରିଷ୍ଠ ନେତା ଅମ୍ବିକା ସୋନୀ ବି ଉପସ୍ଥିତ ରହିପାରନ୍ତି ।

ସେପଟେ ଦଳ ଛାଡୁଥିବା ନେଇ ଗତକାଲି କ୍ୟାପଟେନ୍ ଅମରିନ୍ଦରସିଂ ଇସାରା ଦେବା ପରେ ଖୁବଶୀଘ୍ର ସେ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି କୁହାଯାଉଛି । ସେ ତାଙ୍କ ସମର୍ଥନରେ ଥିବା ବିଧାୟକମାନଙ୍କୁ ଏକଜୁଟ କରୁଥିବା ନଜରକୁ ଆସିଛି ।