କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଢିଲା ହୋଇଥିବା ନେଇ ଚାଲିଥିବା ମାମଲା ଉପରେ ଆଜି କଂଗ୍ରେସ ନେତା ନବଜୋତସିଂ ସିଦ୍ଧୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି କି ଯେତେବେଳେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରେ ଯିବାର ଥିଲା ସେତେବେଳେ ସେ କାହିଁକି ସଡକ ପଥରେ ଯାଉଥିଲେ । ଏହାସହ ସୁରକ୍ଷାରେ ଢିଲା ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ କେନ୍ଦ୍ର ଏଜେନ୍ସିକୁ ଦାୟି କରିଛନ୍ତି ।

Advertisment

ଅନ୍ୟପଟେ ସିଦ୍ଧୁ କହିଛନ୍ତି କି ପ୍ରଧାନମନ୍ତ୍ରୀ ଯେଉଁ ରାଲିରେ ଯୋଗ ଦେବାର ଥିଲା ସେହି ରାଲିରେ ଲୋକ ଭିଡ ହୋଇ ନଥିବାରୁ ଯୋଜନା କରି ବିଜେପି ସୁରକ୍ଷା ପ୍ରସଙ୍ଗ ଉଠାଇଛି । ସେ ଆହୁରି କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ସଭାରେ ୭୦ ହଜାର ଚେୟାର ପଡିଥିଲେ ବି ମାତ୍ର ୫ ଶହ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଏହାକୁ ଦେଖି ବିଜେପି ଏଭଳି ଡ୍ରାମା ରଚିଛି । ଏହାସହ ବିଜେପି ପଞ୍ଜାବକୁ ବଦନାମ କରିବାକୁ ଏଭଳି ପ୍ରସଙ୍ଗ ପ୍ରସ୍ତୁତ କରିଛି ।

ସିଦ୍ଧୁ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି କି ବିଜେପି ଏହା ପ୍ରଥମଥର ପାଇଁ କରି ନାହିଁ । ଯେତେବେଳେ କୃଷକମାନେ ଦିଲ୍ଲୀରେ ନିଜ ହକର ଲଢେଇ ଲଢୁଥିଲେ ସେଥିରୁ ସେମାନଙ୍କୁ ବିଚ୍ୟୁତ କରିବାକୁ କେନ୍ଦ୍ର ସରକାର ମାତ୍ର କେଇଟା ଟଙ୍କା ଏମଏସପି ବୃଦ୍ଧି କରି କୃଷକମାନଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରିଥିଲେ ।

କହିରଖୁ କି, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଗସ୍ତରେ ଯାଇଥିଲେ । ସେ ସଡକ ପଥରେ ହୁସେନିବାଲା ଯାଉଥିବା ବେଳେ କିଛି ପ୍ରଦର୍ଶନକାରୀ ରାସ୍ତା ରୋକ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଗାଡି ସେଠାରେ ୧୫-୨୦ ମିନିଟ ଅଟକି ଯାଇଥିଲା । ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଢିଲା ବୋଲି କୁହାଯାଉଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଅନ୍ୟପଟେ ଏହି ମାମଲାର ଯାଂଚ ପାଇଁ ପଞ୍ଜାବ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।