ଚିନ୍ତାରେ ନବୀନଙ୍କ ଦୁଇ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବାସନ୍ତୀ ହେମ୍ବ୍ରମ । ଟିକେଟ୍ ପାଇଁ ବଢୁଛି ଟେନସନ୍ ।

316

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଟିକେଟ ମିଳିଲା । ମନ୍ତ୍ରୀ ଉଷାଦେବୀଙ୍କ ସ୍ଥାନରେ ଚିକିଟିରୁ ତାଙ୍କ ପୁଅଙ୍କୁ ଟିକେଟ ଦିଆଗଲା । କିନ୍ତୁ ି ଦୁଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବାସନ୍ତୀ ହେମ୍ବ୍ରମଙ୍କ ଟିକେଟ ଏବେ ସୁତାଖିଅରେ ଝୁଲୁଛି । ବାଦ ପଡିବେ ନା ଟିକେଟ ପାଇବେ ? ୧୦୮ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା ସରିଲାଣି, କିନ୍ତୁ କାକଟପୁର ଓ କରଞ୍ଜିଆର ଅଙ୍କ ଛିଡୁନି । ତେଣୁ କାକଟପୁରରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କରଞ୍ଜିଆର ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ଟେନସନ ବଢିଯାଇଛି ।

  • ରିପିଟ୍ ହେବେ କି ତୁଷାରକାନ୍ତି?
  • ମନ୍ତ୍ରୀଙ୍କ ରାସ୍ତାରେ କଣ୍ଟା ସୁରେନ୍ଦ୍ର ସେଠୀ!

ପୁରୀର ଅନ୍ୟତମ ହାଇପ୍ରୋଫାଇଲ ଆସନ କାକଟପୁର ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବରୁ ଲାଗୁଛି , ସତେ ଯେମିତି ଏଠାରେ କିଛି ଘଟିବାକୁ ଯାଉଛି । ତୁଷାରକାନ୍ତି ବେହେରା ୨୦୧୯ରେ ଏଠାରେ ବିଜେପିରୁ ପ୍ରଥମେ ଟିକେଟ ପାଇଥିଲେ । କିନ୍ତୁ ହଠାତ ଟିକେଟ ଫେରାଇ ବିଜେଡିରେ ମିଶି ଟିକେଟ ହାତେଇଥିଲେ । ଆଉ ବିଜୟୀ ହୋଇ ସିଧା ମନ୍ତ୍ରୀ ବି ହୋଇଥିଲେ । କିନ୍ତୁ ଏଥର ତାଙ୍କ ଟିକେଟକୁ ନେଇ ସସପେନ୍ସ ବଢିଯାଇଛି ।

କୁହାଯାଉଛି, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ରାସ୍ତାରେ କଣ୍ଟା ହୋଇଛନ୍ତି ବିଜେଡି ନେତା ସୁରେନ୍ଦ୍ର ସେଠୀ । ସୁରେନ୍ଦ୍ର ଏଠାରୁ ୨୦୧୪ରେ ବିଜେଡିରୁ ବିଧାୟକ ହୋଇଥିଲେ । ଏଥର ବି ଟିକେଟ ପାଇବା ପାଇଁ ଲବି ଚଳାଇଛନ୍ତି , ଯାହାକୁ ନେଇ ବିଜେଡି ନେତୃତ୍ୱ ଅକଳରେ ପଡିଥିବା କୁହାଯାଉଛି ।

  • କରଞ୍ଜିଆ ପାଇଁ ଛିଡୁନି ଅଙ୍କ
  • ବାସନ୍ତୀଙ୍କ ଟିକେଟ କଟିବ ନା ରହିବ ?

କାକଟପୁର ଭଳି କରଞ୍ଜିଆରେ ସ୍ଥିତି ବି ସମାନ । ଏଠାରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଟିକେଟ ଝୁଲି ରହିଛି । ୨୦୧୯ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହେବା ପରେ ସିଧା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିଲେ । କିନ୍ତୁ ଦ୍ୱିତୀୟ ଥର ବିଜେଡି ଟିକେଟ ଦେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବାସନ୍ତୀ । କୁହାଯାଉଛି, ବାସନ୍ତୀଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜିଛନ୍ତି ଦୁଇ ଦୁଇ ଥରର ବିଧାୟକ ବିଜୟ ନାୟକ । ବିଜୟ ଏଠାରୁ ୨୦୦୯ ଓ ୨୦୧୪ରେ ଜିତିଥିଲେ । କିନ୍ତୁ ୨୦୧୯ରେ ତାଙ୍କ ଟିକେଟ କଟିଯାଇଥିଲା । ଏବେ ପୁଣି ସେ ନବୀନ ନିବାସ ଆସି ଟିକେଟ ପାଇଁ ଜୋରଦାର ଲବି ଚଳାଇଛନ୍ତି , ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛି ବିଜେଡି ।

ତେବେ ଦଳ ଆଉ ବାକି ୩୯ ବିଧାନସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ । ଆଉ ଏହି ତାଲିକାରେ କାକଟପୁର ଓ କରଞ୍ଜିଆ ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ସସପେନ୍ସ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।