ମାଆକୁ ସମ୍ମାନ : ନବୀନଙ୍କ ରାସ୍ତାରେ ମୋଦି, ବଜେଟରେ ଏସଏଚଜି ମହିଳାଙ୍କ ପାଇଁ ବଡ ଘୋଷଣା ।

1,146

କନକ ବ୍ୟୁରୋ : ନବୀନ ସରକାରଙ୍କୁ ଅନୁକରଣ କଲେ ମୋଦି ସରକାର । କେନ୍ଦ୍ର ବଜେଟରେ ଦେଖିବାକୁ ମିଳିଲା ରାଜ୍ୟ ସରକାରଙ୍କ ଯୋଜନାର ଝଲକ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ଖାସକରି ଏସଏଚଜି ମହିଳା ଅର୍ଥାତ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବଜେଟରେ ବଡ ଘୋଷଣା କରିଛନ୍ତି ନିର୍ମଳା । ଏସଏଚଜି ମହିଳାଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ଘୋଷଣା କରି ବଡ ଭେଟି ଦେଇଛନ୍ତି ମୋଦି ସରକାର ।

ତେବେ କେନ୍ଦ୍ର ସରକାର ଏସଏଚଜି ମହିଳାଙ୍କୁ ବିନା ସୁଧରେ ଋଣ ଦେବା ଫର୍ମୁଲାକୁ ପୂର୍ବରୁ ଆପଣାଇ ସାରିଛନ୍ତି ନବୀନ ସରକାର । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ହିଁ ବିନା ସୁଧରେ ଏସଏଚଜି ମହିଳାଙ୍କୁ ଋଣ ଦେବାକୁ ଘୋଷଣା କରି ମନ ଜିଣି ନେଇଥିଲେ ନବୀନ । ଏକ ଲକ୍ଷ ନୁହେଁ ବରଂ ଏସଏଚଜି ଗ୍ରୁପକୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଉ ଏସଏଚଜି ମହିଳାଙ୍କ ପାଇଁ ନବୀନଙ୍କ ଏହି ଘୋଷଣାର ୬ ମାସ ପରେ କେନ୍ଦ୍ର ବଜେଟରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି । ନବୀନଙ୍କୁ ଫର୍ମୁଲାକୁ ପୁଣିଥରେ ଆପଣାଇଛନ୍ତି କେନ୍ଦ୍ର ସରକାର । ତେବେ ଏସଏଚଜି ମହିଳାଙ୍କୁ ବିନା ସୁଧରେ ଋଣ ଦେବା ରେସରେ ମୋଦି ସରକାରଙ୍କ ଠାରୁ ଦୁଇ ପାଦ ଆଗରେ ରହିଛନ୍ତି ନବୀନ ସରକାର । ଯେତେବେଳେ କେନ୍ଦ୍ର ସରକାର ବିନା ସୁଧରେ ଏସଏଚଜି ମହିଳାଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସେଭଳି ସ୍ଥଳେ ଏସଏଚଜି ଗ୍ରୁପକୁ ବିନା ସୁଧରେ ୩ ଲକ୍ଷ ଟଙ୍କା ଋଣ ଦେବେ ନବୀନ ସରକାର ।

ପୂର୍ବରୁ ମଧ୍ୟ ନବୀନଙ୍କ କାଳିଆ ଯୋଜନା ପୂରା ଦେଶକୁ ବାଟ ଦେଖାଇଥିବା ବେଳେ ଏହାକୁ ମଧ୍ୟ ଅନୁକରଣ କରିଥିଲେ ମୋଦି ସରକାର । ଯେତେବେଳେ ପୂରା ଦେଶରେ ଚାଷୀଙ୍କ ପାଇଁ କୃଷି ଋଣ ଛାଡ କରିବାକୁ ରାଜନୈତିକ ଦଳ ମଧ୍ୟରେ ରେସ ଆରମ୍ଭ ହୋଇଥିଲା ସେତେବେଳେ ଏହି ରେସରୁ ଦୂରରେ ରହି ଚାଷୀଙ୍କ ପାଇଁ କାଳିଆ ଯୋଜନା ଭଳି ଐତିହାସିକ ଯୋଜନାର ଘୋଷଣା କରିଥିଲେ ନବୀନ । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଋଣ ଛାଡ ନୁହେଁ ଆର୍ଥିକ ରୂପେ ସୁଦୃଢ କରିବା ନବୀନ ସରକାରର ଲକ୍ଷ୍ୟ ଥିଲା । ପୂରା ଦେଶରେ ନବୀନଙ୍କ ଏହି ଯୋଜନାକୁ ବେଶ ପ୍ରଂଶସା କରାଯାଇଥିଲା ।ପୂରା ଦେଶକୁ ବାଟ ଦେଖାଇଥିଲା ନବୀନଙ୍କ ଏହି ଯୋଜନା । ଆଉ ନବୀନଙ୍କ କାଳିଆ ଯୋଜନା ଘୋଷଣାର କିଛି ଦିନ ପରେ ଚାଷୀଙ୍କୁ ଖୁସି କରିବାକୁ ଏହି ଫର୍ମୁଲାକୁ ଆପଣାଇ ନେଇଥିଲେ କେନ୍ଦ୍ର ସରକାର । ପିଏମ କିଷାନ ଯୋଜନାର ଆରମ୍ଭ କରି ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ ମୋଦି ସରକାର ।

ପ୍ରଥମ ପାଳିରେ କାଳିଆ ଯୋଜନା ଓ ଦ୍ୱିତୀୟ ପାଳିରେ ଏସଏଚଜି ମହିଳାଙ୍କୁ ବିନା ସୁଧରେ ଋଣ । ନବୀନଙ୍କ ଯୋଜନାକୁ ଏକାଧିକ ବାର ଅନୁକରଣ କରି ଆସିଛନ୍ତି ମୋଦି ସରକାର । ଯାହା ଦର୍ଶାଉଛି ଚାଷୀ ଓ ମହିଳାଙ୍କ ପାଇଁ ନବୀନ ଘୋଷଣା କରୁଥିବା ଯୋଜନା ପୂରା ଦେଶକୁ ବାଟ ଦେଖାଇଛି ।